ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି-୭୯ ମୁଖ୍ୟ ଛକରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମ୍ ମେସିନ୍ ଗତ ତିନି ମାସ ହେବ ଅଚଳ ହୋଇ ପଡ଼ିଛି। ତେବେ ଏତେ ଦିନ ହେବ ଏଟିଏମ୍ କାହିଁକି ଖୋଲା ହେଉନାହିଁ, ତାହା ଏକ ବଡ଼ ରହସ୍ୟ ହୋଇ ରହିଛି। ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ, ସରକାରୀ କର୍ମଚାରୀ ଏବଂ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଏହି ଅବ୍ୟବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ମୋଟୁ ରୁ ଏମଭି-୭୯ ପର୍ଯ୍ୟନ୍ତ ଏହି ସ୍ଥାନରେ ଏକମାତ୍ର ଏଟିଏମ୍ ହୋଇଥିବାରୁ କାଲିମେଳା ବ୍ଲକ୍ର ତାଣ୍ଡବାଈ, ମହାରାଜପଲ୍ଲୀ, ଲୁଗେଲ୍, ମାଲାଭରମ୍, ଟିଗଲ୍, ଭୁବନପଲ୍ଲୀ, ପୁଷୁଗୁଡ଼ା ଏବଂ ମୋଟୁ ସମେତ ପଡ଼ିଆ ବ୍ଲକ୍ର ଶିମିଳିବାଞ୍ଛା ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କର ଦୈନନ୍ଦିନ ଆର୍ଥିକ କାରବାର ପ୍ରଭାବିତ ହୋଇଛି ।
୨୦୧୬ରେ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଏଟିଏମ୍ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଉଦଘାଟନ ର ପରବର୍ତ୍ତୀ ସମୟରେ ଏହାର ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ଆଲୋକୀକରଣ ବ୍ୟବସ୍ଥା ଏବଂ ମେସିନ୍ ବାରମ୍ବାର ଖରାପ ହୋଇ ପଡ଼ିଥିବାରୁ ଏହା ବନ୍ଦ ଅବସ୍ଥାରେ ପ୍ରାୟ ଦିନ ରହି ଆସୁଥିଲା। ଏହା ବ୍ୟତୀତ, ଚଳିତ ବର୍ଷ ନୂତନ ବ୍ୟାଙ୍କ ନିର୍ମାଣ ହୋଇଥିଲେ ମଧ୍ୟ ବ୍ୟାଙ୍କ ନିକଟରେ ଏଟିଏମ୍ ପାଇଁ ସ୍ପେସ୍ ଥାଇ ବି କୌଣସି ଏଟିଏମ୍ ନାହିଁ । ଏତେ ସବୁ ହେଉଥିଲେ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ କାହିଁକି କିଛି କରୁନାହିଁ? ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ସ୍ୱାଇପ୍ ମେସିନ୍ ବି ନାହିଁ, ଯାହା ଗ୍ରାହକଙ୍କୁ ଆହୁରି ହନ୍ତସନ୍ତ କରୁଛି । ସାପ୍ତାହିକ ହାଟ ଦିନରେ ବ୍ୟବସାୟୀ ଏବଂ ବ୍ୟୟ ବୁଦ୍ଧି ସମ୍ପନ୍ନ ଲୋକେ ଏହି ଏଟିଏମ୍ ଉପରେ ଭରସା କରି ଆସୁଥିଲେ, କିନ୍ତୁ ଏହାର ଅଚଳ ଅବସ୍ଥା ଯୋଗୁଁ ସେମାନେ ନିରାଶ ହେଉଛନ୍ତି । ଜରୁରୀ ଆବଶ୍ୟକତାରେ ଟଙ୍କା ଉଠାଇ ପାରୁନଥିବାରୁ ଧାର କରଜ କରିବାକୁ ପଡ଼ୁଛି କିମ୍ବା ନିରାଶ ହୋଇ ଫେରୁଛନ୍ତି । ଫଳରେ ବ୍ୟାଙ୍କ ଏବଂ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ମହିଳା, ଛାତ୍ରଛାତ୍ରୀ, ବୃଦ୍ଧ ଓ ବୃଦ୍ଧାଙ୍କ ଭିଡ଼ ବଢ଼ିବାରେ ଲାଗିଛି ।