(ଅଜିତ ସାହୁ / ଜଳେଶ୍ୱର): ଡାକ୍ତର ଭାଗିରଥି ମୁର୍ମୁଙ୍କ ମୃତ୍ୟୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦାୟୀ ବୋଲି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ ସଂଘ। ଏନେଇ ବାଲିଆପାଳ ଡାକ ବଙ୍ଗଳାରେ ପ୍ରେସମିଟ କରି ଭିତିରି ଗୁମର ଖୋଲିଛି ବାଲିଆପାଳ ସୂଚନା ଅଧିକାର କର୍ମୀ ସଂଘ। ଡାକ୍ତର ଶ୍ରୀଯୁକ୍ତ ମୁର୍ମୁ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଯଥେଷ୍ଟ ବିଶ୍ରାମ ଆବଶ୍ୟକ ଥିଲା। ଏ ବାବଦରେ ସ୍ବାସ୍ଥ୍ୟ ବିଭାଗ ଅବଗତ ଥିଲେ ବି ଡାକ୍ତର ନିଯୁକ୍ତି ଦିଆ ଯାଇନଥିଲା । ଯାହାଫଳରେ ଦିନରାତି ଡ୍ୟୁଟି କରି ବିଶ୍ରାମ ନପାଇ କ୍ରମଃଶ ଅଧିକ ଗୁରୁତର ହୋଇ ପଡ଼ିଥିଲେ। ସେହିପରି କାର୍ୟ୍ୟରତ ବିପିଏମ୍ ଦୟାନିଧି ନାୟକ ତାଙ୍କୁ ମାନସିକ ଭାବେ ନିର୍ୟାତନା ଦେଉଥିଲେ ବୋଲି ସିଡିଏମ୍ଓଙ୍କୁ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ବିପିଏମ୍ ଶ୍ରୀ ନାୟକଙ୍କ ଘର ନିକଟସ୍ଥ ଘଂଟୁଆ ଗ୍ରାମ ହୋଇଥିଲେ ମଧ୍ୟ ସେ ଡାକ୍ତର ମାନଙ୍କ ପାଇଁ ଉଦିଷ୍ଟ ଥିବା ସରକାରୀ କୁଆଟାର ଗୁଡିକୁ କବ୍ଜାକରି ରଖିଥିଲେ । ତାଙ୍କୁ ବାରମ୍ବାର କହିବା ସତ୍ତ୍ବେ ସେ କୁଆଟାର ଛାଡି ନଥିଲେ, ବରଂ ଶ୍ରୀ ଯୁକ୍ତ ମୁର୍ମୁଙ୍କୁ ଦୁର୍ବ୍ୟବହାର କରୁଥିଲେ , ଯାହାପାଇଁ ସେ ମାନସିକ ଚାପରେ ରହିଥିଲେ। ପୂର୍ବରୁ ବିପିଏମ ଶ୍ରୀଯୁକ୍ତ ନାୟକ, ସାପକାମୁଡା ରୋଗୀକୁ ମେଡିକାଲ ପରିସରରେ ଅରଖ ଗଛର ଖୀର ଲଗାଇ, ଫୁଙ୍କାଝଡ଼ା କରି ଚର୍ଚ୍ଚାରେ ଥିଲେ। ଏନେଇ ଅଭିଯୋଗ ହୋଇ ବିଭାଗୀୟ ତଦନ୍ତ ହୋଇଥିଲେ ବି କାର୍ୟ୍ୟାନୁଷ୍ଠାନ ଶୁନ। ତେବେ ଡାକ୍ତର ମାନଙ୍କ କୁଆଟାର ଅନ୍ୟ ମାନେ କବ୍ଜାରେ ରଖିଥିବାରୁ ଡାକ୍ତରମାନେ କାର୍ୟ୍ୟରେ ଯୋଗ ଦେଇ ପାରୁନାହାନ୍ତି। ତେଣୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ପଦବୀ ପୂରଣ କରି କୁଆଟାର ଗୁଡିକୁ ଡାକ୍ତର ମାନଙ୍କୁ ଯୋଗାଇବା ବ୍ୟବସ୍ଥା କରିବା ସିହିତ କାର୍ୟ୍ୟରତ ବିପିଏମଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ପାଇଁ ସଙ୍ଘ ପଖରୁ ଦାବି କରାଯାଇଛି।