ଗଣିଆରେ ଉତ୍ସାହର ସହ ପାଳିତ ହେଲା ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା

ଗଣିଆ ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରସିଦ୍ଧ ‘ଲଙ୍କାପୋଡ଼ି ଯାତ୍ରା’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା କମିଟି ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଉକ୍ତ ଯାତ୍ରାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଲଙ୍କାପୋଡ଼ି ଯାତ୍ରାର ଅନେକ ସ୍ୱତନ୍ତ୍ରତା ଦେଖିବାକୁ ମିଳିଥିଲା। ବିଶେଷ କରି କାରିଗରଙ୍କ ଦ୍ୱାରା ନିର୍ମିତ ବିଶାଳକାୟ କାଷ୍ଠ ନିର୍ମିତ ରାବଣ ମୂର୍ତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରଭୁ ଶ୍ରୀରାମଙ୍କ ବ୍ରହ୍ମଶରରେ ରାବଣ ବଧର ଦୃଶ୍ୟ ସହ ଆକାଶଛୁଆଁ ରଙ୍ଗବେରଙ୍ଗର ଆତସବାଜି ପରିବେଶକୁ ଉତ୍ସବମୁଖର କରିଥିଲା। ଯାତ୍ରା ପଡ଼ିଆରେ ରଙ୍ଗାରଙ୍ଗ ମେଲୋଡି ସହ ପଡ଼ିଥିବା ଭଳିକି ଭଳି ଦୋଳି ଓ ମିନା ବଜାରରେ ସନ୍ଧ୍ୟା ସମୟରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗଣିଆ ପୋଲିସ ସହାୟତାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଓ ସ୍ବେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ମନୋରମ ଦୃଶ୍ୟର ଭରପୂର ଆନନ୍ଦ ଉଠାଇଥିଲେ।