ମହିଳାଙ୍କୁ ଫେବର ମାଗିବା ମହଙ୍ଗା ପଡ଼ିଲା

ଖଣ୍ଡପଡ଼ା ଏସଡ଼ିପିଓଙ୍କ ଅଡ଼ୁଆ ବଢ଼ିଲା । ମହିଳାଙ୍କୁ ଫେବର ମାଗି ବଦଳିଲେ ଖଣ୍ଡପଡ଼ା ଏସଡ଼ିପିଓ ମଦନ ମୋହନ ପ୍ରଧାନ । ଏକ ମାମଲା ରଫାଦଫା ପାଇଁ ମହିଳାଙ୍କୁ ଦେଇଥିଲେ ମାନସିକ ନିର୍ଯ୍ୟାତନା । ମାମଲା ରୁଜୁ ପରେ ନିରପେକ୍ଷ ତଦନ୍ତ ପାଇଁ ଏସଡିପିଓଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏବଂ ନୟାଗଡ଼ ପୋଲିସ ମୁଖ୍ୟାଳୟ ଏସଡିପିଓ ସୁଦୀପ୍ତ କୁମାର ସାହୁଙ୍କୁ ଖଣ୍ଡପଡ଼ା ଦାଇତ୍ୱ ଦିଆଯାଇଛି ।

ସୂଚନାନୁସାରେ, ଗତ ବର୍ଷ ଜୁଲାଇ ୩ତାରିଖରେ ହୋଇଥିବା ଏକ ମାମଲାକୁ ରଫାଦଫା କରିବା ପାଇଁ ମହିଳାଙ୍କୁ ଫେବର୍ ମାଗିଥିଲେ ନୟାଗଡ଼ ଖଣ୍ଡପଡା ଏସଡ଼ିପିଓ ମଦନ ମୋହନ ପ୍ରଧାନ। ମହିଳାଙ୍କ ଅଭିଯୋଗ ପରେ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ କରିଥିଲେ ନୟାଗଡ଼ ଏସପି l ମହିଳା ଜଣକ ଏକ ମାମଲା ନେଇ ଫତେଗଡ଼ ଥାନାକୁ ଯାଇଥିଲେ । ଏସଡିପିଓ ଉକ୍ତ ମାମଲାର ତଦନ୍ତ କରୁଥିବା ସମୟରେ ତାଙ୍କଠାରୁ ମୋବାଇଲ ନମ୍ବର ନେଇ ରାତିରେ ତାଙ୍କୁ ଅଶ୍ଳୀଳ ମେସେଜ ଏବଂ ଅଡିଓ ପଠାଉଥିଲେ । ଘଟଣା ପରେ ମହିଳା ଜଣକ ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ ଆସି ଅଭିଯୋଗ କରିଥିଲେ । ଏନେଇ ଗତ ୨୦ ତାରିଖରେ ଫତେଗଡ଼ ଥାନାରେ ୧୨୦/୨୬ରେ ମାମଲା ରୁଜୁ ହୋଇଥିଲା । ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି ସୁବାସ ଚନ୍ଦ୍ର ପଣ୍ଡା ତଦନ୍ତ କରିଥିଲେ ।  ଏସଡ଼ିପିଓ ମଦନ ମୋହନଙ୍କ ବିରୋଧରେ BNS ଧାରାରେ ସଙ୍ଗୀନ ଦଫା ଲାଗିଛି । BNS ଧାରା ୨୯୬-ଅଶ୍ଳୀଳ ଇଙ୍ଗିତ, ୩୫୧(୪)-ଅପରାଧିକ ମନ ବୃତି ନେଇ ନିଜକୁ ଲୁଚାଇ ଅପରାଧ ଘଟାଇବା, ୭୫(୨)-ଅସଦାଚରଣ, ୭୮(୨)ପିଛା କରିବା ଆଦି ସଙ୍ଗୀନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ ।