ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବି କଲା କଂଗ୍ରେସ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ଦୁର୍ନୀତି ଅଭିଯୋଗ ।ଅଭିଯୋଗ କଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଶୋଭାଯାତ୍ରା କରିବା ସହ ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କୁ ଲିଖିତ ଅଭିଯୋଗ କଲା ଜିଲ୍ଲା କଂଗ୍ରେସ କମିଟି । ମଣ୍ଡି ଦୁର୍ନୀତି ସହ ସ୍ବଚ୍ଛ ଭାରତ ମିଶନ ଓ ଶ୍ରମିକଙ୍କ ଉପକରଣ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ ।ଯୋଗାଣ ଅଧିକାରୀଙ୍କ ନାମରେ ପୂର୍ବରୁ ଜୟପୁର, ବ୍ରହ୍ମପୁର ଓ କଳାହାଣ୍ଡିରେ ୩ଟି ଭିଜିଲାନ୍ସ ମାମଲା ରହିଛି । ଏହା ସତ୍ତେ୍ୱ ସେ ୧୦ବର୍ଷ ଧରି କିପରି ଗୋଟିଏ ଜିଲ୍ଲାରେ ରହିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ସେହିପରି ମିଲ ମାଲିକଙ୍କ ଠାରୁ ଟଙ୍କା ଲୁଟ, ମଣ୍ଡି ସ୍କାମ ଅଭିଯୋଗ କରି ପୂର୍ବତନ ଜିଲ୍ଲାପାଳ ଏବଂ ସି ଏସ ଓ ମନୋଜ ପ୍ରଧାନଙ୍କ ବିରୋଧରେ ତଦନ୍ତ କରିବା ପାଇଁ କଂଗ୍ରେସ ପକ୍ଷରୁ ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କୁ ଦାବିପତ୍ର ସହ ଅଡିଓ ଟେପ ପ୍ରଦାନ କରାଯାଇଛି ।