ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତ ସପ୍ତାହରେ ସିଆରପିଏଫର ଏକ ଚେକ୍ପୋଷ୍ଟ୍ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଲସ୍କର ଆତଙ୍କବାଦୀ ଲତିଫ ଭଟ୍ଟ ସୁରକ୍ଷା ବାହିନୀ ଗୁଳିରେ ନିହତ ହୋଇଛି। ବୁଧବାର ଭୋର ସମୟରେ ମସଜିଦ୍ ଭିତରେ ଲୁଚି ରହିଥିବା ଭଟକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷା ବାହିନୀ। ତାକୁ ଆତ୍ମସମର୍ପଣ କରିବା ପାଇଁ ବାରମ୍ବାର କୁହାଯାଇଥିଲା କିନ୍ତୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ଏପରିକି କୁଲଗାମ୍ର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସ୍ଏସ୍ପି) ଅନାୟତ ଅଲ୍ଲୀ ତାକୁ ଭିଡିଓ କଲ୍ କରି ଅସ୍ତ୍ର ତ୍ୟାଗ କରିବାକୁ ଅନୁରୋଧ କରିବା ସହ ଆତ୍ମସମର୍ପଣ କଲେ ତାକୁ ଗୁଳି କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲା।
୯ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର୍ ମଧ୍ୟ ଭଟକୁ ଆତ୍ମସମର୍ପଣ କରିବା ପାଇଁ ବାରମ୍ବାର ନିବେଦନ କରିଥିଲେ। ମସଜିଦ୍ ଭିତରକୁ ପଶିବା ପରେ ଭଟ ରାତି ପ୍ରାୟ ୨.୪୫ ସମୟରେ ଆଖିବୁଜା ଗୁଳିଚାଳନା କରିଥିଲା। ଆତ୍ମସମର୍ପଣ କରିବାକୁ ମନା କରିବା ପରେ ସୁରକ୍ଷା ବାହିନୀ ତାକୁ ବାହାରକୁ ଆଣିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ। ସେମାନେ ମସଜିଦ ଭିତରକୁ ଲୁହବୁହା ଗ୍ୟାସ ସେଲ୍ ନିକ୍ଷେପ କରିଥିଲେ। ମସଜିଦ୍ ଭିତରୁ ବାହାରିବା ମାତ୍ରେ ତାକୁ ଗୁଳି କରାଯାଇଥିଲା। ତେବେ ସିଆରପିଏଫ ଚେକ୍ ପୋଷ୍ଟ ଉପରକୁ ଗୁଳିମାଡ଼ ଘଟଣାରେ ତା’ର ସହଯୋଗୀ ଉମର ନିଶାର ଦାର ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲା।