ଜମିହରେଇଥିବା ପରିବାରକୁ ନିଯୁକ୍ତି ଦେଉନି ଏମସିଏଲ

(ମନିଲ ମହାରଣା) :ତାଳଚେର ବ୍ଲକ ସୋଲଡା ଗ୍ରାମର ଦୁଇ ଜମିହରା ପ୍ରଜାଙ୍କୁ ଏମସିଏଲ କର୍ତ୍ତୃପକ୍ଷ ନିଯୁକ୍ତି ଏବଂ କ୍ଷତିପୂରଣ ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ବାରମ୍ବାର ଦାବି ଅଭିଯୋଗ କରା ଯାଉଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନାହାନ୍ତି । ଜମିବାଡ଼ି,ଘରଦ୍ୱାର ସବୁ ଗଲା ପରେ ମଧ୍ୟ ଦୁର୍ବୀସହ ଜୀବନ ବିତାଉଛନ୍ତି କ୍ଷତିଗ୍ରସ୍ତ ପ୍ରଜା । ନିଯୁକ୍ତି ଓ ଥଇଥାନ କରା ନଯିବା ପ୍ରତିବାଦରେ ସୋଲଡା ଗ୍ରାମର ସୁନିତା ବେହେରା ପୁଷ୍ପଲତା ବେହେରା ଏମସିଏଲ ହିଙ୍ଗୁଳା ପରିବହନ ରାସ୍ତା ଅବରୋଧ କରିଥିଲେ । ଫଳରେ ବହୁ ସମୟ ଧରି କୋଇଲା ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଗୋପାଳପ୍ରସାଦ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଥାନାକୁ ଆଣିଥିଲେ । ତେବେ ସୁନିତା ଏଵଂ ପୁଷ୍ପଲତା ଏ ନେଇ ଏମ ସି ଏଲ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଥିଲେ । ସେମାନଙ୍କ ସମସ୍ତ ଭୂସମ୍ପତି କୋଇଲାଖଣି ପାଇଁ ବହୁ ବର୍ଷ ହେବ ଅଧିଗ୍ରହଣ ହୋଇସାରିଛି କିନ୍ତୁ ସେମାନଙ୍କୁ କୌଣସି ସୁବିଧା ମିଳିନି ବୋଲି ସେମାନେ ଅଭିଯୋଗ କରିଛନ୍ତି ।