ଆଇପିଏଲ୍ରେ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା କ୍ରିକେଟର ଶଶାଙ୍କ ସିଂହ ଏବେ ଏକ ବିବାଦକୁ ନେଇ ଖବରରେ ଅଛନ୍ତି। ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଶଶାଙ୍କ ସିଂହ, ତାଙ୍କ ପିତା ଓ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହି ଘଟଣା ପରେ ପ୍ରଥମ ଥର ପାଇଁ ନିଜ ପକ୍ଷ ରଖିଛନ୍ତି ଶଶାଙ୍କ ସିଂହ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ବିପେନ୍ଦ୍ର ସିଂହ ନାମକ ବ୍ୟକ୍ତି ରୋଷେଇଆ ଭାବେ ତାଙ୍କ ଘରକୁ ଆସିଥିଲେ, କିନ୍ତୁ ସେ ରୋଷେଇ କରିବା ପରିବର୍ତ୍ତେ ଘରର ବିଭିନ୍ନ ସ୍ଥାନର ଫଟୋ ଓ ଭିଡିଓ ଉଠାଉଥିଲେ। ଏପରିକି ସେ ବ୍ୟକ୍ତିଗତ କୋଠରୀରେ ମଧ୍ୟ ପ୍ରବେଶ କରୁଥିଲେ, ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

ଶଶାଙ୍କଙ୍କ ଦାବି ଅନୁଯାୟୀ, ସେହି ବ୍ୟକ୍ତିଙ୍କ ମୋବାଇଲରୁ ଘରର ବହୁ ବ୍ୟକ୍ତିଗତ ଫଟୋ ଓ ଭିଡିଓ ମିଳିଥିଲା, ଯାହାକୁ ତାଙ୍କ ମା’ ଡିଲିଟ୍ କରିଦେଇଥିଲେ। ସେ ଆହୁରି କହିଛନ୍ତି ଯେ ଘରର ଏକ ରୂପାର ଗଣେଶ ମୂର୍ତ୍ତି ମଧ୍ୟ ମିଳୁନାହିଁ ଏବଂ ପରିବାର ସଦସ୍ୟମାନେ ଆଉ କିଛି ସାମଗ୍ରୀ ହଜିଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି।’

ଶଶାଙ୍କ ସିଂହ କହିଛନ୍ତି, ସେ ଭାବପ୍ରବଣ ହୋଇ ପୋଲିସକୁ ନ ଡାକି ସେହି ବ୍ୟକ୍ତିଙ୍କୁ ଯିବାକୁ ଦେଇଥିଲେ। ଏହାକୁ ସେ ନିଜର ଭୁଲ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଆଗକୁ କୌଣସି ଘରୋଇ କର୍ମଚାରୀଙ୍କୁ ନିଯୁକ୍ତି ପୂର୍ବରୁ ସମ୍ପୂର୍ଣ୍ଣ ପୃଷ୍ଠଭୂମି ଯାଞ୍ଚ କରାଯିବ।
ଅନ୍ୟପଟେ, ଘରୋଇ କର୍ମଚାରୀଙ୍କ ମାଡ଼ ଅଭିଯୋଗକୁ ନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୋଗ ଏବଂ ଶଶାଙ୍କ ସିଂହଙ୍କ ସଫେଇ ମଧ୍ୟରେ ଘଟଣାର ପ୍ରକୃତ ସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।