ଅବହେଳିତ ଅବସ୍ଥାରେ ତାଳଚେରର ପବିତ୍ର ମୋହନ ସ୍ମୃତି ପୀଠ

(ମନିଲ ମହାରଣା) : ତାଳଚେର ବାଇପାସ ଛକ ନିକଟସ୍ଥ ପବିତ୍ରମୋହନ ଛକଠାରେ ପ୍ରତିଷ୍ଠିତ ଓଡିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୁର୍ତି ଏବେ ଅବହେଳିତ ହୋଇ ପଡ଼ିଛି । ତାଳଚେର ପୌର ପ୍ରଶାସନ, ନିର୍ବାଚିତ ଲୋକ ପ୍ରତିନିଧି ମାନେ ଏଥିପ୍ରତି ନଜର ଦେଉ ନାହାନ୍ତି। ଫଳରେ ପବିତ୍ର ବାବୁଙ୍କ ପ୍ରତିମୂର୍ତୀ ଧୂଳି ଧୁଆଁରେ ଏବେ ଆଚ୍ଛାଦିତ ହୋଇ ଯାଇଛି । ସ୍ବର୍ଗତ ପ୍ରଦୀପ୍ତ କାର ପଟ୍ଟନାୟକ ତାଳଚେର ନଗରପାଳ ଥିବାବେଳେ ଓଡ଼ିଶାର ତତ୍କାଳୀନ ମୂଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ୧୯୯୪ ମସିହା ଫେବୃଆରୀ ୧୬ ତାରିଖରେ ପବିତ୍ର ବାବୁଙ୍କ ପ୍ରତିମୁର୍ତି ସ୍ଥାପନ କରାଯାଇ ତାଙ୍କ ନାମରେ ସ୍ମୃତିପୀଠ ଉନ୍ମୋଚିତ ହୋଇଥିଲା । ଆଶା ଥିଲା ଆଗାମୀ ଦିନରେ ଏହି ସ୍ମୃତିପୀଠର ଆହୁରି ଉନ୍ନତିକରଣ କରାଯିବ। କେବଳ କିଛି ସ୍ୱତନ୍ତ୍ର ଦିବସରେ ପ୍ରତିମୁର୍ତିକୁ ସାମାନ୍ୟ ପୋଛାପୋଛି କରି ତାପରେ ସମସ୍ତେ ଏହାକୁ ଭୁଲି ଯାଉଛନ୍ତି । ଏହି ସ୍ମୃତିପୀଠକୁ ଉନ୍ନତି କରିବାକୁ ସତେ ଯେପରି କାହାର ନିଘା ନାହିଁ । ନିକଟରେ ଯାଇଥିବା ଜାତୀୟ ରାଜପଥରେ ଦୈନିକ ହଜାର ହଜାର କୋଇଲା ଟ୍ରକ ଚାଲୁ ଥିବାରୁ ପବିତ୍ର ମୋହନ ସ୍ମୃତିପୀଠ ସମ୍ପୂର୍ଣ ଧୂଳିଧୂଆଁରେ ଆବୃର୍ତ୍ତ ହୋଇ ଗଲାଣି। ତାଳଚେର ଗଡଜାତ ଆନ୍ଦୋଳନର ମୁଖ୍ୟ ସଂଗ୍ରାମୀ ତଥା ତାଳଚେରର ଏହି ବରପୁତ୍ରଙ୍କ ସ୍ମୃତିପିଠର ଉନ୍ନତି ଦିଗରେ ଶୀଘ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।