ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରେସମିଟ୍ରେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ସମସ୍ତ ତ୍ରୁଟିର ସମୀକ୍ଷା ଏକ ବିଶେଷଜ୍ଞ କମିଟି କରୁଛନ୍ତି ଏବଂ ସଂଶୋଧନ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବିଭାଗ ସୂଚନା ଦେଇଛି ଯେ, ଖୁବଶୀଘ୍ର ସଂଶୋଧିତ ପାଠ୍ୟପୁସ୍ତକର ଡିଜିଟାଲ ସଂସ୍କରଣ ବିଭାଗର ଅଧିକୃତ ୱେବସାଇଟ୍ରେ ଉପଲବ୍ଧ କରାଯିବ। ଏହା ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ସହଜରେ ସଠିକ୍ ଓ ସଂଶୋଧିତ ପାଠ୍ୟପୁସ୍ତକ ବ୍ୟବହାର କରିପାରିବେ।
ବିଭାଗ ଆହୁରି କହିଛି ଯେ, ପାଠ୍ୟପୁସ୍ତକର ଗୁଣାତ୍ମକ ମାନକୁ ଅଧିକ ସୁଦୃଢ଼ କରିବା ସହ ଭବିଷ୍ୟତରେ ଏଭଳି ତ୍ରୁଟିର ପୁନରାବୃତ୍ତି ନ ହେବା ପାଇଁ ସମୀକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ।
ଏହାସହ ବିଭାଗ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ କୌଣସି ଅସତ୍ୟ କିମ୍ବା ଭ୍ରମାତ୍ମକ ସୂଚନାରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛି। ସଂଶୋଧିତ ପାଠ୍ୟପୁସ୍ତକ ପ୍ରକାଶ ପାଇବା ପରେ କେବଳ ସେହି ଅଧିକୃତ ସଂସ୍କରଣକୁ ଅନୁସରଣ କରିବାକୁ ବିଭାଗ ପରାମର୍ଶ ଦେଇଛି।