ନୂଆଦିଲ୍ଲୀ: ହୋଲିର ଖୁସି ମଧ୍ୟରେ ନିବେଶକଙ୍କ ପାଇଁ ଆସିଛି ଦୁଃଖଦ ଖବର। ଲଗାତାର ଦ୍ୱିତୀୟ ଦିନ ପାଇଁ ଘରୋଇ ପୁଞ୍ଜି ବଜାରରେ ଭୟଙ୍କର ପତନ ଦେଖିବାକୁ ମିଳିଛି। ଆଜି ବଜାର ଖୋଲିବା ସହିତ BSE Sensex ପ୍ରାୟ ୧୭୦୦ ଅଙ୍କ ଓ NIFTY 50 ୫୩୦ ପଏଣ୍ଟ ହ୍ରାସ ପାଇଥିଲା। ପ୍ରତିଶତ ଆଧାରରେ ସେନସେକ୍ସ ୨.୧୭% ଓ ନିଫ୍ଟି ୨.୧୩% ଖସିଥିବା ଦେଖାଗଲା।ମାତ୍ର କିଛି ମିନିଟ ମଧ୍ୟରେ ନିବେଶକଙ୍କ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବଜାରରୁ ହାରାଇଗଲା। Bombay Stock Exchangeରେ ତାଲିକାଭୁକ୍ତ କମ୍ପାନିମାନଙ୍କର ମୋଟ ବଜାର ପୁଞ୍ଜି ୪୫୬.୯୦ ଲକ୍ଷ କୋଟିରୁ କମି ୪୪୬.୪୫ ଲକ୍ଷ କୋଟି ଟଙ୍କାକୁ ଗିରିଥିଲା। ଆଇଟି ବ୍ୟତୀତ ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ ସଙ୍କେତରେ କାରବାର କରୁଥିଲେ। ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ୨%ରୁ ଅଧିକ ହ୍ରାସ ପାଇଥିଲା।
ବଜାର ପତନ ପଛରେ ଅନେକ କାରଣ ଦେଖାଯାଉଛି। ମଧ୍ୟପ୍ରାଚ୍ୟରେ ଚାଲୁଥିବା ତୀବ୍ର ସଂଘର୍ଷ ନିବେଶକଙ୍କ ମନୋଭାବକୁ ଦୁର୍ବଳ କରିଛି। ଆମେରିକା-ଇରାନ-ଇସ୍ରାଏଲ ତଣାଟଣିର ପ୍ରଭାବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୮୧-୮୨ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଭାରତ ଭଳି ଆମଦାନୀ ନିର୍ଭର ଦେଶ ପାଇଁ ଏହା ଚିନ୍ତାଜନକ ସୂଚନା। ଏହା ସହିତ ବିଦେଶୀ ପ୍ରତିଷ୍ଠାନ ନିବେଶକମାନେ ଲଗାତାର ସେୟାର ବିକ୍ରି କରୁଥିବାରୁ ବଜାରରେ ଚାପ ବଢ଼ିଛି। ଷ୍ଟକ୍ ବଜାରର ଅସ୍ଥିରତା ସୂଚକ India VIX ଆଜି ୧୪% ବୃଦ୍ଧି ପାଇଥିବାରୁ ଭୟ ଓ ଅନିଶ୍ଚିତତାର ଚିତ୍ର ସ୍ପଷ୍ଟ ହେଉଛି। ସାରାଶେଷରେ, ବିଶ୍ୱ ବଜାରର ଦୁର୍ବଳ ସଙ୍କେତ, ତୈଳ ମୂଲ୍ୟ ବୃଦ୍ଧି ଓ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଘରୋଇ ପୁଞ୍ଜି ବଜାରକୁ ଅସ୍ଥିର କରିଦେଇଛି। ଆଗାମୀ କିଛି ଦିନ ବଜାରର ଦିଗ କିପରି ରହିବ, ସେଥିପାଇଁ ନିବେଶକମାନେ ଅପେକ୍ଷାରେ ଅଛନ୍ତି।