ସରିଲା ଲୁଚକାଳିର ଖେଳ । ଦୀର୍ଘ ୨୦ ବର୍ଷ ହେଲା ଫେରାର ଥିବା ଜଣେ କୁଖ୍ୟାତ ଆତଙ୍କବାଦୀକୁ ଶେଷରେ ପୁଲିସ୍ ରୈସି ଜିଲ୍ଲାରୁ ଗିରଫ କରିଛି ଜମ୍ମୁ-କଶ୍ମୀର ପୁଲିସ । ଜଣେ ପୁଲିସ୍ ଅଧିକାରୀଙ୍କୁ ହତ୍ୟା କରିବା ସହ ଧରା ପଡ଼ିଥିବା ଆତଙ୍କବାଦୀ ନାଁରେ ରହିଛି ୧୩ଟି ସଂଗୀନ ଅପରାଧିକ ମାମଲା। ଗିରଫ ଆତଙ୍କବାଦୀ ଜଣକ ହେଉଛି ମହମ୍ମଦ ମାନଶା। ତା’ ଘର ରୈସି ଜିଲ୍ଲାର ଥୁରୋ ଲାସୋଲିରେ।
୨୦୦୦ରୁ ୨୦୦୭ ଯାଏ ଜଣେ ସକ୍ରିୟ ଆତଙ୍କବାଦୀ ଭାବେ ଉପତ୍ୟକାରେ ନିଜର ହୁକୁମାତି ଜାରି ରଖିଥିଲା ମାନଶା। ୨୦୦୭ରେ ସେ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ସେ ଆତ୍ମସର୍ପଣ କରି ସୁଧୁରି ଯାଇଥିବା ସମସ୍ତଙ୍କୁ ଜଣାଇଥିଲା।
ହେଲେ ପରବର୍ତ୍ତୀ ସମୟରେ ତା’ ନାଁରେ ଥିବା ୧୩ଟି ଅପରାଧିକ ମାମଲାର ଆଇନଗତ ପ୍ରକ୍ରିୟାରେ ସେ ସାମିଲ ହୋଇ ନଥିଲା। ଏହା ମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ଅପରାଧିକ ଷଡ଼ଯନ୍ତ୍ର, ସରକାରଙ୍କ ବିରୋଧରେ ଯୁଦ୍ଧ ଓ ଆର୍ମସ ଆକ୍ଟ ଭଳି ମାମଲା ରହିଛି।
୨୦୦୦ ମସିହାରେ ଜମ୍ମୁ-କଶ୍ମୀର ପୁଲିସର ଜଣେ ସ୍ପେଶାଲ ପୁଲିସ୍ ଅଫିସରଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରିଥିଲା ମାନଶା। ଏହି ଘଟଣାରେ ପୁଲିସ୍ ଚାର୍ଜଶିଟ ଦାଖଲ କରିବା ପରେ ରୈସିରେ ଥିବା ପ୍ରିନ୍ସିପାଲ ଜିଲ୍ଲା ଓ ସେସନ୍ସ ଜଜ ୨୦୦୧ ଡିସେମ୍ବର ୬ରେ ମାନଶା ନାଁରେ ଗିରଫ ପରୱାନା ଜାରି କରିଥିଲେ ।