ଦାନ ଦେବା କୌଣସି ବଡ଼ କଥା ନୁହେଁ। ଅନେକ ଲୋକ ଦେବଦେବୀଙ୍କ ଦର୍ଶନ ସମୟରେ ସୁନା ଓ ଟଙ୍କା ଦାନ କରନ୍ତି। ହେଲେ ଜଣେ ବ୍ୟକ୍ତି ଏକାଥରେ ଭଗବାନଙ୍କୁ ୧୨୧ କେଜିର ସୁନା ଅଳଙ୍କାର ଦାନ କରିବା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଚେନ୍ନାଇ ଭିତ୍ତିକ ଶିଳ୍ପପତି ବର୍ଦ୍ଧମାନ ଜୈନ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଭଗବାନ ଭେଙ୍କଟେଶ୍ୱରଙ୍କୁ ୧୨୧ କେଜି ଓଜନର ବିଭିନ୍ନ ସୁନା ଅଳଙ୍କାର ଦାନ ସୂତ୍ରରେ ଦେଇଛନ୍ତି। ଏହି ସୁନା ଅଳଙ୍କାରର ମୂଲ୍ୟ ୧୬୦ରୁ ୨୦୬ କୋଟି ହେବ। ଏହି ଦାନକୁ ବର୍ଦ୍ଧମାନ ଜୈନ ତିରୁମାଳା ତିରୁପତି ଦେବସ୍ଥାନମସ(ଟିଟିଡି)କୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଛନ୍ତି।
ଏଥିରେ ଗୋଟିଏ ଶ୍ରୀବରି ମୁକୁଟ, ପଦ୍ମ ପାଦୁକା ଓ ଅନେକ ପାରମ୍ପରିକ ମନ୍ଦିର ଅଳଙ୍କାର ରହିଛି। ଏହାବାଦ ଗୋଟିଏ ଅଣ୍ଟା ବେଲ୍ଟ, କାନ୍ଧରେ ଲାଗୁଥିବା ଅଳଙ୍କାର ଓ ସୁରକ୍ଷିତ ହାତ ଗହଣା ମଧ୍ୟ ସେ ଦାନ କରିଛନ୍ତି। ମନ୍ଦିରର ନୀତିକାନ୍ତିର ଆବଶ୍ୟକତା ଓ ଆଗମା ଶାସ୍ତ୍ର ପରମ୍ପରା ଅନୁସାରେ ସମସ୍ତ ଅଳଙ୍କାର ତିଆରି ହୋଇଛି।