ଚିନି ଦର ବଢ଼ିବା ଆଶଙ୍କା, ଚିନ୍ତାରେ ଖାଉଟି

ଆଗକୁ ମହଙ୍ଗା ହୋଇପାରେ ଚିନି। ଦେଶରେ ଆଖୁ ଚାଷ ଜମି ହ୍ରାସ ଏବଂ ପ୍ରତିକୂଳ ପାଣିପାଗ ଯୋଗୁଁ ଚିନି ଉତ୍ପାଦନ କମିବାର ଆଶଙ୍କା ଦେଖାଦେଇଛି। ଏହାର ପ୍ରଭାବ ବଜାର ଦର ଉପରେ ପଡ଼ିବା ସମ୍ଭାବନା ଥିବାରୁ ଚିନ୍ତାରେ ଖାଉଟି। ଭାରତୀୟ ଚିନି ଓ ଜୈବଶକ୍ତି ଉତ୍ପାଦକ ସଂଘ (ISMA)ର ଆକଳନ ଅନୁସାରେ, ୨୦୨୬-୨୭ ଋତୁରେ ଦେଶରେ ଚିନି ଉତ୍ପାଦନ ୫ ପ୍ରତିଶତ ହ୍ରାସ ପାଇ ୨୬୫.୨୧ ଲକ୍ଷ ଟନ୍‌ ରହିପାରେ। ଗତ ଋତୁରେ ଏହା ୨୭୯.୭୧ ଲକ୍ଷ ଟନ୍‌ ଥିଲା। ଅର୍ଥାତ୍ ଚଳିତ ବର୍ଷ ପ୍ରାୟ ୧୪.୫୦ ଲକ୍ଷ ଟନ୍‌ କମ୍‌ ଉତ୍ପାଦନ ହେବାର ଆଶଙ୍କା ରହିଛି।

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଅଧିକ ପ୍ରଭାବ

ଉତ୍ପାଦନ ହ୍ରାସର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଦେଖିବାକୁ ମିଳିପାରେ। ମହାରାଷ୍ଟ୍ରରେ ଚିନି ଉତ୍ପାଦନ ୯୯.୧୭ ଲକ୍ଷ ଟନ୍‌ରୁ ହ୍ରାସ ପାଇ ୮୬.୮୫ ଲକ୍ଷ ଟନ୍‌ ହେବାର ଆକଳନ କରାଯାଇଛି। ସେହିପରି କର୍ଣ୍ଣାଟକରେ ୪୯.୫୪ ଲକ୍ଷ ଟନ୍‌ ତୁଳନାରେ ଏଥର ୪୬.୧୯ ଲକ୍ଷ ଟନ୍‌ ଉତ୍ପାଦନ ହୋଇପାରେ। ଉତ୍ତରପ୍ରଦେଶରେ ମଧ୍ୟ ଉତ୍ପାଦନ ସାମାନ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି।

କମୁଛି ଆଖୁ ଚାଷ ଜମି

ଚିନି ଉତ୍ପାଦନ କମିବାର ଅନ୍ୟତମ କାରଣ ହେଉଛି ଆଖୁ ଚାଷ ଜମି ହ୍ରାସ। ଦେଶରେ ଆଖୁ ଚାଷ ଜମି ୩.୨ ପ୍ରତିଶତ କମି ୫୫.୫୩ ଲକ୍ଷ ହେକ୍ଟରକୁ ଖସିପାରେ। ଏହାସହ ଅନିୟମିତ ବର୍ଷା, ମରୁଡ଼ି ଏବଂ ପ୍ରତିକୂଳ ପାଣିପାଗ ଯୋଗୁଁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଆଖୁ ଅମଳ ପ୍ରଭାବିତ ହେବା ଆଶଙ୍କା ରହିଛି।

ଉତ୍ପାଦନ ହ୍ରାସ ପାଇଲେ ବଜାରରେ ଚିନି ଯୋଗାଣ କମିପାରେ। ଫଳରେ ଦର ବୃଦ୍ଧିର ଆଶଙ୍କା ରହିଛି। ତେବେ ଚିନି କିଲୋ ପିଛା ୧୦୦ ଟଙ୍କା ଛୁଇଁବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ଆକଳନ ହୋଇନାହିଁ।

ISMA ପକ୍ଷରୁ କୁହାଯାଇଛି ଯେ, ସାଟେଲାଇଟ୍‌ ଚିତ୍ର ଓ କ୍ଷେତ୍ରସ୍ତରୀୟ ତଥ୍ୟ ଆଧାରରେ ଏହି ପ୍ରାଥମିକ ଆକଳନ କରାଯାଇଛି। ଆସନ୍ତା ୨୦୨୭ ଜାନୁଆରୀରେ ପୁଣି ଥରେ ଉତ୍ପାଦନ ସ୍ଥିତିର ସମୀକ୍ଷା କରାଯିବ। ତେଣୁ ଆଗାମୀ ଦିନରେ ଚିନି ଦର କେତେ ବଢ଼ିବ, ତାହା ଉତ୍ପାଦନ ଓ ଯୋଗାଣର ସ୍ଥିତି ଉପରେ ନିର୍ଭର କରିବ।