ଦିଲ୍ଲୀ–NCR ବାୟୁରେ ସାମାନ୍ୟ ସୁଧାର, ହଟିଲା GRAP-4 ପାବନ୍ଧି ; ଏବେ GRAP-3 ଜାରି

ନୂଆଦିଲ୍ଲୀ: ଦିଲ୍ଲୀ–NCR ଅଞ୍ଚଳର ବାୟୁ ଗୁଣମାନରେ ସାମାନ୍ୟ ସୁଧାର ଆସିବା ପରେ GRAP-4 ର କଠୋର ପାବନ୍ଧିଗୁଡ଼ିକୁ ହଟାଯାଇଛି। ଏବେ GRAP-3 ସହ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ପାବନ୍ଧିଗୁଡ଼ିକ ଚାଲୁ ରହିବ। ମଙ୍ଗଳବାର ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୭୮ ରେକର୍ଡ ହୋଇଥିଲା। ଏହା ପରେ ବାୟୁ ଗୁଣମାନ ପରିଚାଳନା ଆୟୋଗ (CAQM) GRAP-4 ପାବନ୍ଧି ହଟାଇବା ନିଷ୍ପତ୍ତି ନେଇଛି। CAQM ଜାରି କରିଥିବା ଆଦେଶରେ କୁହାଯାଇଛି ଯେ GRAPର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ନିୟମ ଜାରି ରହିବ। ଆୟୋଗ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଯେ ଚାଲୁଥିବା ପାବନ୍ଧିଗୁଡ଼ିକୁ କଠୋର ଭାବେ ପାଳନ କରନ୍ତୁ, ଯାହାଦ୍ୱାରା AQI ଆଉ ଖରାପ ନ ହୁଏ।

ଉଲ୍ଲେଖନୀୟ ଯେ, ୧୭ ଜାନୁଆରୀରେ ଦିଲ୍ଲୀର ବାୟୁ ଗୁଣମାନ ଅତ୍ୟଧିକ ଖରାପ ହେବା ପରେ CAQMର ସବ୍-କମିଟି GRAP-4 ଲାଗୁ କରିଥିଲା। ସେ ସମୟରେ AQI ଦ୍ରୁତ ଗତିରେ ବଢ଼ୁଥିଲା।ତା’ପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଛି। ୧୮ ଜାନୁଆରୀରେ AQI ୪୪୦ ଥିବାବେଳେ, ୧୯ ଜାନୁଆରୀରେ ଏହା ୪୧୦ କୁ ହ୍ରାସ ପାଇଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁସାରେ ୨୦ ଜାନୁଆରୀରେ AQI ଆଉ କମି ୩୭୮ ହୋଇଛି। CAQM କହିଛି ଯେ ସମ୍ପୃକ୍ତ ସମସ୍ତ ଏଜେନ୍ସି ଏହି ପରିସ୍ଥିତି ଉପରେ କଢ଼ା ନଜର ରଖିବେ। GRAP-III, II ଓ I ଅନ୍ତର୍ଗତ ପଦକ୍ଷେପଗୁଡ଼ିକୁ ଆହୁରି କଠୋର କରାଯିବ, ଯାହାଦ୍ୱାରା ପୁଣିଥରେ GRAP-4 ଲାଗୁ କରିବାର ଆବଶ୍ୟକତା ନ ପଡ଼େ।