କଟକରେ ବାଣ ଫୁଟାଇବାକୁ ନେଇ ମହିଳା ଏସିପିଙ୍କ ସହ ଧସ୍ତାଧସ୍ତି: ୧୦ ଜଣ ଅଟକ: ଡିସିପି

କଟକ: ସିଲଭର ସିଟିରେ ବାଣ ଫୁଟାଇବାକୁ ନେଇ ଉତ୍ତେଜନା, ଶେଷରେ ମହିଳା ଏସପିଙ୍କ ଧସ୍ତାଧସ୍ତି କରିବାକୁ ପଛାଇଲେନି ଅମାନିଆ । କଟକରେ ମହିଳା ଏସପି (ACP) ଅନନ୍ୟା ଅବସ୍ଥୀଙ୍କ ସହ ହୋଇଥିବା ଧସ୍ତାଧସ୍ତି ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି । ଏନେଇ ସୋମବାର ଦିନ ଡିସିପି ଖିଲାରି ଋଷିକେଶ ଜ୍ଞାନଦେଓ ସୂଚନା ପ୍ରଦାନ କରିଛନ୍ତି।

ଡିସିପିଙ୍କ କହିବା ଅନୁଯାୟୀ, ଘଟଣାସ୍ଥଳର ସିସିଟିଭି (CCTV) ଫୁଟେଜ୍ ଏବଂ ଭାଇରାଲ୍ ହୋଇଥିବା ଭିଡିଓଗୁଡ଼ିକୁ ଯାଞ୍ଚ କରାଯାଉଛି। ଯେଉଁମାନେ ନିଜ ହାତକୁ ଆଇନ ନେଇ ଶୃଙ୍ଖଳା ଭଙ୍ଗ କରିଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାନୁଯାୟୀ, ରବିବାର ରାତିରେ କଟକର ନୟାସଡ଼କ ଅଞ୍ଚଳରେ ଦୀପାବଳି ପାଳନ ସମୟରେ, ଅନୁମତି ପ୍ରାପ୍ତ ସମୟ ସୀମା ପରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିଲା।ନୟାସଡ଼କ ଛକରେ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁମତି ପ୍ରାପ୍ତ ସମୟ ପରେ ବାଣ ଫୁଟାଇବା ବନ୍ଦ କରିବାକୁ ପୋଲିସ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ କହିବାରୁ ସେଠାରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଯୁକ୍ତିତର୍କ ପରେ ଉଗ୍ର ରୂପ ନେଇଥିଲା।

ଯେତେବେଳେ ଏସିପି ଅନନ୍ୟା ଅବସ୍ଥୀ ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା , ସେତେବେଳେ କିଛି ଲୋକ ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ନୟାସଡ଼କ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଆହୁରି ଖରାପ ହେବାକୁ ରୋକିବା ପାଇଁ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଥିଲା। ଡିସିପି ଖିଲାରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଘଟଣାର ତଦନ୍ତ ଚାଲିଛି।