କୁହୁଡ଼ି ପାଇଁ ମ୍ୟାଚ୍ ବିଳମ୍ବ, ଚତୁର୍ଥ ଟି-୨୦ ଖେଳିବେନି ଶୁଭମନ ଗିଲ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ରେ ଶୁଭମନ ଗିଲ୍ ଖେଳିବେ ନାହିଁ। ଗୋଡ଼ରେ ଆଘାତ ଯୋଗୁଁ ତାଙ୍କୁ ବାହାର କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗିଲ୍ ଏକ ପ୍ରଶିକ୍ଷଣ ଅଧିବେଶନ ସମୟରେ ଗୋଡ଼ରେ ଆଘାତ ପାଇଥିଲେ। ଖବର ମିଳିଛି ଯେ ସଞ୍ଜୁ ସାମସନ୍ ତାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ତିନୋଟି ଟି-୨୦ରେ ଶୁଭମନ ଗିଲ୍ କେବଳ ୩୨ ରନ୍ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପ୍ରଥମେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ କୁହୁଡ଼ି ଯୋଗୁଁ ଟସ୍ ବିଳମ୍ବିତ ହୋଇଛି । ତେବେ ଗିଲଙ୍କ ଆଘାତ କେତେ ଗୁରୁତର ତାହା ବିଷୟରେ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ।

ଶୁଭମନ ଗିଲ ବାଦ ପଡ଼ିବା ପରେ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବ ବୋଲି କଳ୍ପନାଜଳ୍ପନା ଚାଲିଛି। ସାମସନ ଏହି ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି, କିନ୍ତୁ ସେ ଚତୁର୍ଥ ଟି-୨୦ରେ ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିପାରିବେ। ସୂଚନାଯୋଗ୍ୟ ଯେ, ଗିଲ ପୂର୍ବରୁ ବେକରେ ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରୁ ବଞ୍ଚିତ ହୋଇଥିଲେ। ଶୁଭମନ ଗିଲ ଗତ କିଛି ସପ୍ତାହ ଧରି ନିରନ୍ତର ସମାଲୋଚନାର ଶିକାର ହେଉଛନ୍ତି। ସେ ତାଙ୍କର ଶେଷ ୧୮ ଟି ଟି-୨୦ ଇନିଂସରେ କୌଣସି ଅର୍ଦ୍ଧଶତକ ମାରି ନାହାଁନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ୍‌ରେ ୨୮ ରନ୍ କରିଥିଲେ, କିନ୍ତୁ ସେ ୨୮ ବଲ୍‌ରେ ଏହି ସ୍କୋର କରିଥିଲେ। ତାଙ୍କର ଶେଷ ଅର୍ଦ୍ଧଶତକ ଜୁଲାଇ ୨୦୨୪ରେ ଜିମ୍ବାୱେ ବିପକ୍ଷରେ ଆସିଥିଲା, ଯେଉଁଥିରେ ସେ ୩୯ ବଲ୍‌ରେ ୫୮ ରନ୍ କରିଥିଲେ। ସେବେଠାରୁ, ଗିଲ୍ ତାଙ୍କର ଶେଷ ୧୮ ଇନିଂସରେ କେବଳ ଦୁଇଥର ୪୦ ରନ୍ ଅତିକ୍ରମ କରିଛନ୍ତି।