କାର ସାଇଡ କରୁଥିବା ବେଳେ ବାଇକରେ ମାଡ ହେବାରୁ ପାଟିତୁଣ୍ଡ

ପୁରୀ : ପୁରୀ ଟାଉନଥାନା ମରଚିକୋଟ ଛକ ନିକଟରେ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଭକ୍ତଙ୍କ କାର୍ ସାଇଡ କରୁଥିବା ବେଳେ ଜଣେ ଯୁବକଙ୍କ ବାଇକରେ ମାଡ ହୋଇଥିଲା। ଫଳରେ ହଠାତ ଉତକ୍ଷିପ୍ତ ହୋଇ କାରକୁ ଅଟକାଇବାକୁ ଉଦ୍ଯମ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ହାତ ଉଠାଉଠି ଆଉ ତାପରେ ମାରପିଟର ରୂପ ନେଇଥିଲା। ଏମିତିକି କାରରେ ଥିବା ଦୁଇଜଣ ଯୁବତୀ ମଧ୍ୟ ବାଡେଇବାକୁ ପଛାଇ ନଥିଲେ। ତେବେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ କେହି କାହାକୁ ଛାଡିବାକୁ ପଛାଇନଥିଲେ। ଯାହା ଫଳରେ ଦୀର୍ଘସମୟ ଧରି ବଡଦାଣ୍ଡରେ ଟ୍ରାଫିକ୍ ଜାମ୍ ରହିଥିଲା। ପୁଲିସ ମାନେ ବୁଝାବୁଝି କରୁଥିଲେ ମଧ୍ୟ କେହି ଶୁଣୁନଥିଲେ। ପୁଲିସ ସମ୍ମୁଖରେ ମଧ୍ୟ ମାରପିଟ ହେଉଥିବା ଦେଖାଯାଇଥିଲା। ତେବେ ଉଭୟ ପକ୍ଷଙ୍କୁ ଟାଉନଥାନାକୁ ଡକାଯାଇ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ  କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ରାତି ୧୧ଟା ୪୫ସୁଦ୍ଧା ସମାଧାନର ବାଟ ନଫିଟିବାରୁ ଉଭୟଙ୍କ ବିରୁଦ୍ଧରେ ମାମଲା  ରୁଜୁ ହେବ ବୋଲି ଥାନାଧିକାରୀ କହିଛନ୍ତି। ସେପଟେ କାରରେ ଆସିଥିବା ଭକ୍ତମାନେ ନିମାପଡା ବଳଙ୍ଗା ଅଞ୍ଚଳର ହୋଇଥିବା ବେଳେ ବାଇକରେ ଥିବା ଲୋକ ପୁରୀ ଲବଣିଖିଆ ଅଞ୍ଚଳର ବୋଲି ଜଣାପଡିଛି।