ତାଲିବାନ ଆତଙ୍କକୁ ନେଇ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ନେଲେ ଆର ଏସ ଏସ ମୁଖ୍ୟ
ଗୋପ, ଜୟନ୍ତ କୁମାର ସେଠୀ: ଆର ଏସ ଏସ ମୁଖ୍ୟ ମୋହନ ଭାଗବତ ପୁରୀ ଗସ୍ତରେ ଆସି ଜଗଦଗୁରୁ ଶଙ୍କରାଚାର୍ୟ୍ୟ ଭେଟିଛନ୍ତି। କଡା ସୁରକ୍ଷା ମଧ୍ୟରେ ଗୋବର୍ଦ୍ଧନ ମଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ମୋହନ ଭାଗବତ । ଅଖଣ୍ତ ଭାରତବର୍ଷ ଓ ହିନ୍ଦୁତ୍ବକୁ ମଜବୁତ କରି ସମଗ୍ର ଵିଶ୍ବରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂଘ କାର୍ୟ୍ୟ କରିବାକୁ ଶଙ୍କରାଚାର୍ୟ୍ୟ ପରାମର୍ଶ ଦେଇଛନ୍ତି। ପାକିସ୍ଥାନ ସହଯୋଗରେ ତାଲିବାନ ଭାରତର ଜମ୍ମୁ କାଶ୍ମିରୀ ଉପରେ ଲୋଲୁପ ଦୃଷ୍ଟି ପକାଇଥିବାରୁ ଶଙ୍କରାଚାର୍ୟ୍ୟ ସତର୍କ କରାଇଥିବା ସହ ଭବିଷ୍ୟତରେ ଭାରତ ବର୍ଷରେ ଯେଭଳି ସଙ୍କଟ ଜନକ ପରସ୍ଥିତି ସୃଷ୍ଟି ନହୁଏ ତାଉପରେ କାର୍ୟ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେବା, ଧର୍ମ, ତ୍ୟାଗର ପୀଠ ଗୋବର୍ଦ୍ଧନ ମଠର ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ନେଲେ ଚାରିଧାମ ମଧ୍ୟରୁ ଅନ୍ୟତମ ପୁରୀ ତଥା ଭାରତବର୍ଷ ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ମଧ୍ୟ ଶଙ୍କରାଚାର୍ୟ୍ୟଙ୍କ କ୍ଷମତା ଓ ଧାର୍ମିକ ଵ୍ୟଵସ୍ଥାରେ ପରାମର୍ଶ ନେଇ ରାୟ ଦେଇଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କଲେ ସେ ଉପଯୁକ୍ତ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି। କିନ୍ତୁ ନିୟମିତ ଭାବେ ତାଙ୍କ ସହ ଆଲୋଚନା କରାଯାଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଶଙ୍କରାଚାର୍ୟ୍ୟଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଆର ଏସ ଏସ ମୁଖ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି।। ସେହିପରି ଶ୍ରୀମନ୍ଦିର ରେ କୋଭିଡ କଟକଣାରେ ଦର୍ଶନ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି।