ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି । ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି । ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି । ମୋଟ ୩୩୩ ଘଣ୍ଟାର ମରାମତି କାମ ରେକର୍ଡ ହୋଇଛି ।

ତେବେ କାମ ଆରମ୍ଭ ହେଲା ବେଳକୁ ରତ୍ନଭଣ୍ଡାର ସ୍ଥିତି ଠିକ୍ ନ ଥିବା ନେଇ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମରାମତି ବେଳେ ୫୨୦ଟି ପଥର ବଦଳାଯାଇଛି । ଭିତରେ ୯ଟି ଓ ବାହାରେ ୬ଟି ଷ୍ଟେନଲେସ ଷ୍ଟିଲ୍ ବିମ୍ ଲାଗିଛି । ଚଟାଣଗୁଡ଼ିକ ଗ୍ରାନାଇଟ୍ ପଥରରେ ମରାମତି ହୋଇଛି । ତେବେ ପୁରା ସ୍ଥାୟୀ ମରାମତି ହୋଇଛି ବୋଲି କୁହାଯାଇ ପାରିବ । ଏବେ କେବଳ ଆଲୋକୀକରଣ ବ୍ୟବସ୍ଥା ବାକି ଅଛି, ସେନେଇ ବିଶେଷଜ୍ଞ ନିଷ୍ପତ୍ତି ନେବେ । ଭିତର ରତ୍ନଭଣ୍ଡାର ଗେଟ୍ ସୁନା ଆଚ୍ଛାଦିତ ପାଇଁ ଆଶିଷ କାମନା କରୁଛୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି ଯେ, ବାହାର ରତ୍ନଭଣ୍ଡାର ଦ୍ବାର ରୁପା ଛାଉଣୀ କାମ ଆରମ୍ଭ ସିରିଛି । ରତ୍ନ ସ୍ଥାନାନ୍ତର ଓ ଗଣତି ମଣତି ଶୀଘ୍ର ହେବା ନେଇ ଆଶା କରୁଛୁ । ମାତ୍ର ଏନେଇ କୌଣସି ତାରିଖ ସ୍ଥିର ହୋଇ ନାହିଁ । ବର୍ତ୍ତମାନ ରତ୍ନଭଣ୍ଡାର ଚାବି ଶ୍ରୀମନ୍ଦିର ପ୍ରଶାସନ ପାଖରେ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।