ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିନ ୧୧ଟାରେ ପୁରୀ ଟାଉନ ହଲରେ ବୈଠକ ଅନୁଷ୍ଠିତ ହେବ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ସ୍ୱାସ୍ଥ୍ୟ, ଗମନାଗମନ, ରାସ୍ତାଘାଟ, ରଥ ନିର୍ମାଣ, ଆଦିର ବିସ୍ତୁତ ସମୀକ୍ଷା ହେବ । ବୈଠକରେ ଶିଳ୍ପ, ଗୃହ ଓ ନଗରଉନ୍ନୟନ ଓ ଆଇନ ଭଳି ବିଭିନ୍ନ ବିବାଗର ମନ୍ତ୍ରୀ ଓ ସଚିବମାନେ ଯୋଗଦେବେ । ସେପଟେ ରୂପକାର ସେବକମାନେ ସିଂହାସନରେ ଡାଳି, ଲତା, ପଦ୍ମ ପାଖୁଡ଼ା, କୁମ୍ଭ ଆଦି ଖୋଦେଇ ପରେ ପଲିସ୍ କାମ ଶେଷ ପର୍ୟ୍ୟାୟରେ ପହଞ୍ଚାଇଛନ୍ତି । ଚିତ୍ରକର ସେବକମାନେ ରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଙ୍କ ରଙ୍ଗ କାର୍ୟ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଆଜି ତିନି ରଥର ଧଳା ରଙ୍ଗ ଦିଆଯାଇଛି । କୋଣଗୁଜ, ଜଳଯନ୍ତ୍ର ଆଦିରେ ଚିତ୍ରକର ସେବକ ରଙ୍ଗ ଦେଇଛନ୍ତି । ଓଝା ସେବକମାନେ ବିଡ଼ିଆ କଣ୍ଟା, ପୋଟଳ ଓରା କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।