(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଚୈତ୍ର ମାସ ନବମୀରେ ଦଶରଥଙ୍କ ପ୍ରଥମ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଜାତ ହୋଇଥିଲେ ପୁରୁଷୋତ୍ତମ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ଭୁବନେଶ୍ୱରରେ ରାମ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ହଜାର ହଜାର ଭକ୍ତଙ୍କ ସମାଗମକୁ ନଜରରେ ରଖି ରାମ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରବଳ ଖରା ଯୋଗୁଁ ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସେହିପରି ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ ।