କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ଜମି ବିବାଦରେ ରାଜସ୍ୱ ପର୍ଷଦଙ୍କ ବଡ଼ ରାୟ

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୧୧ ଏକରରୁ ଅଧିକ ମୂଲ୍ୟବାନ ଜମିକୁ ନେଇ ଦୀର୍ଘଦିନର ବିବାଦରେ ଆସିଛି ନୂଆ ମୋଡ଼। ଜମି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଓଡ଼ିଶା ରାଜସ୍ୱ ପର୍ଷଦ ପୂର୍ବତନ ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ ୧୯୮୯ ମସିହାର ଆଦେଶକୁ ରଦ୍ଦ କରିଛନ୍ତି। ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୧୧୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଜମିର ମୂଳ ମାଲିକାନା, ପୁରୁଣା ରାଜସ୍ୱ ରେକର୍ଡ, ହାତପଟ୍ଟାର ବୈଧତା ଏବଂ ଜମିର ସୀମାକୁ ପୁନଃ ଯାଞ୍ଚ କରି ଆଇନ ଅନୁଯାୟୀ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସରକାରୀ ରାସ୍ତା ଓ ଅନ୍ୟ ସରକାରୀ ସମ୍ପତ୍ତିର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Historic verdict by the Board of Revenue in the land dispute case in front of the Sun Temple; 1989 order quashed, with directives issued for the examination and correction of old records.

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାର କୋଣାର୍କ ମୌଜାରେ ଥିବା ଏହି ଜମି ପୁରୁଣା ରାଜସ୍ୱ ରେକର୍ଡରେ ଅନାବାଦୀ ଜମି ଭାବେ ଉଲ୍ଲେଖ ରହିଥିଲା। ତେବେ ୧୯୮୯ ମସିହାରେ ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ ଆଦେଶରେ ଜମିର ଏକ ଅଂଶ ଜଣେ ଘରୋଇ ବ୍ୟକ୍ତିଙ୍କ ନାମରେ ସ୍ଥିତିବାନ ଭାବେ ରେକର୍ଡ ହୋଇଥିଲା। ପୂର୍ବତନ ଜମିଦାରଙ୍କଠାରୁ ଦୁଇଟି ହାତପଟ୍ଟା ମାଧ୍ୟମରେ ଜମି ମିଳିଥିବା ଦାବି ଆଧାରରେ ଏହି ପରିବର୍ତ୍ତନ ହୋଇଥିବା କୁହାଯାଇଛି। କିନ୍ତୁ ଜମିର ମୂଳ ମାଲିକାନା ଓ ହାତପଟ୍ଟାର ଆଇନଗତ ବୈଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁରୀ ଜିଲ୍ଲାପାଳ ୨୦୨୫ ନଭେମ୍ବରରେ ରାଜସ୍ୱ ପର୍ଷଦଙ୍କ ନିକଟରେ ଦୁଇଟି ରିଭିଜନ ମାମଲା ଦାଖଲ କରିଥିଲେ। ଜାନୁଆରୀ ମାସରୁ ଏହି ମାମଲାଗୁଡ଼ିକର ଶୁଣାଣି ଚାଲିଥିଲା। ବିଭିନ୍ନ ରାଜସ୍ୱ ଓ ଆଇନଗତ ଦିଗର ଯାଞ୍ଚ ପରେ ପର୍ଷଦ ପୂର୍ବ ଆଦେଶକୁ ରଦ୍ଦ କରିବା ସହ ସରକାରଙ୍କ ରିଭିଜନ ମାମଲାକୁ ଅନୁମୋଦନ କରିଛନ୍ତି।

Sun Temple of Konark | Information, Description, Map, & Facts | Britannica

ଏହି ମାମଲାରେ ଜମି ଉପରେ ଦୀର୍ଘକାଳୀନ ଦଖଲ, ଚାଷବାସ, ଖଜଣା ପ୍ରଦାନ ଓ ରାଜସ୍ୱ ରେକର୍ଡରେ ନାମ ଥିବା ଭଳି ଦିଗଗୁଡ଼ିକର ଗୁରୁତ୍ୱ ରହିଥିଲା। ତେବେ କେବଳ ଦଖଲ କିମ୍ବା ରାଜସ୍ୱ ରେକର୍ଡରେ ନାମ ଥିବା ମାତ୍ରେ ଜମିର ମୂଳ ମାଲିକାନା ପ୍ରମାଣିତ ହୁଏ ନାହିଁ। ତେଣୁ ପୁରୁଣା ଦଲିଲ, ଜମିର ବର୍ଗୀକରଣ ଏବଂ ଅଧିକାର ହସ୍ତାନ୍ତରର ଆଇନଗତ ଆଧାର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ସାବିକ ଓ ହାଲ ପ୍ଲଟ୍‌ର ମଧ୍ୟରେ ସମ୍ପର୍କ, ଜମିର ପ୍ରକୃତ ପରିମାଣ, ସୀମା ଏବଂ ସରକାରୀ ରାସ୍ତାର ଅବସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି। ରାଜସ୍ୱ ରେକର୍ଡ ଓ ନକ୍ସାର ଯାଞ୍ଚ ପରେ ଆଇନ ଅନୁଯାୟୀ ଆବଶ୍ୟକ ସଂଶୋଧନ କରାଯିବ। କୋଣାର୍କ ସୂର୍ଯ୍ୟମନ୍ଦିର ଏକ ବିଶ୍ୱ ଐତିହ୍ୟସ୍ଥଳୀ ହୋଇଥିବାରୁ ଏହାର ସମ୍ମୁଖରେ ଥିବା ଜମିର ସଠିକ୍ ମାଲିକାନା ଓ ସୀମା ନିର୍ଦ୍ଧାରଣକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ଜମିର ସୁରକ୍ଷା ପର୍ଯ୍ୟଟନ ବିକାଶ, ସାଧାରଣ ଯାତାୟାତ ଓ ଭବିଷ୍ୟତର ଯୋଜନାବଦ୍ଧ ବିକାଶ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରୁଛି।

Konark Sun Temple Sanctum Reopens After 122 Years

ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ଶଙ୍କର ଦାସ ଉପସ୍ଥିତ ରହି ପକ୍ଷ ରଖିଥିଲେ। ପୁରୀର ଅତିରିକ୍ତ ଉପଜିଲ୍ଲାପାଳ (ବନ୍ଦୋବସ୍ତ), ଗୋପ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ମଧ୍ୟ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ରାଜସ୍ୱ ପର୍ଷଦଙ୍କ ଏହି ରାୟ ପରେ ଜମିର ରେକର୍ଡ ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଗୁରୁତ୍ୱ ବହନ କରିବ। ଏହା ସହିତ ସରକାରୀ ସମ୍ପତ୍ତିର ସୁରକ୍ଷା ଏବଂ କୋଣାର୍କର ଐତିହ୍ୟ ସଂରକ୍ଷଣ ଦିଗରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିବ।

Sun Temple Konark History