ବର୍ଷା ପରିସ୍ଥିତି ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ କିଛି ସ୍ଥାନରେ ଆସନ୍ତା ୪୮ ଘଣ୍ଟା ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ବର୍ଷା ପରିସ୍ଥିତି ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆଜି ପୂର୍ବାହ୍ନରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ଏହା ସହ କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଏହାବ୍ୟତୀତ ଉତ୍ତର ଓଡ଼ିଶା, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାପରେ ୨୪ ଘଣ୍ଟା ଅର୍ଥାତ୍ ୧୪ ତାରିଖ ସକାଳ ସୁଦ୍ଧା ପାଖାପାଖି ୨୫ଟି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବାର ଆଶଙ୍କା ରହିଛି । ୧୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ ।