ରାହୁଲଙ୍କ ଭାଗ୍ୟ ପରୀକ୍ଷା: ମାନହାନୀ ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଆଜି ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ଏହି ମାମଲାର ଶୁଣାଣି କରିବେ । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ମୋଦୀ ସାଙ୍ଗିଆ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ସଜା ଶୁଣାଇଥିଲେ । ଏହି ରାୟର ପୁନର୍ବିଚାର ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଗୁଜରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ନିରାଶ ହେବାକୁ ପଡିଥିଲା । ସୁରଟ କୋର୍ଟଙ୍କ ରାୟ ସଂରକ୍ଷିତ ରଖିଥିଲେ ଗୁଜରାଟ ହାଇକୋର୍ଟ । ତେବେ ୨୦୨୪ ନିର୍ବାଚନ ରାହୁଲ ଲଢିପାରିବେ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ।

ଏହି ମାମଲାରେ ସୁପ୍ରିମକୋର୍ଟ ଯଦି ରାହୁଲଙ୍କ ସଜାକୁ ଦୁଇ ବର୍ଷରୁ କମ କରିଦିଅନ୍ତି ତେବେ ସେ ନିର୍ବାଚନ ଲଢିପାରିବେ । ଯଦି ସୁପ୍ରିମକୋର୍ଟ ମାମଲାର ସଜା ଦୁଇ ବର୍ଷରୁ କମ କରିଦିଅନ୍ତି ତେବେ ରାହୁଲ ନିର୍ବାଚନ ଲଢିପାରିବେ । ନଚେତ୍ ନିୟମ ଅନୁଯାୟୀ, ରାହୁଲ ଗାନ୍ଧୀ ଆଗାମୀ ନିର୍ବାଚନ ଲଢିପାରିବେ ନାହିଁ । ସୂଚନା ମୁତାବକ, ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । ସବୁ ମୋଦୀ ସାଙ୍ଗିଆଧାରୀ ଚୋର ବୋଲି କହିଥିଲେ ରାହୁଲ । ଯାହା ବିରୋଧରେ କୋର୍ଟରେ ମାନହାନୀ ମାମଲା କରିଥିଲେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦୀ । ଏହି ମାମଲାର ଶୁଣାଣି କରି ଗତ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କୁ ଦୁଇ ବର୍ଷ ସଜ୍ଜା ଶୁଣାଇଥିଲେ ସୁରଟ କୋର୍ଟ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।