ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ

ଗୋପ(ଜୟନ୍ତ କୁମାର ସେଠୀ): ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ଆରଟିଆଇ ଆଧାରରେ ମିଳିଥିବା ତଥ୍ୟକୁ ନେଇ ପୁଣି ଚର୍ଚ୍ଚା । ରତ୍ନଭଣ୍ଡାରର ସ୍ଥିତି ବିପଦ ସଙ୍କୁଳ ଥିବା ନେଇ ବାରମ୍ବାର ଭଣ୍ଡାର ମେକାପ ଅଭିଯୋଗ କଲେ ବି କେହି ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଭିତର ରତ୍ନଭଣ୍ଡାରର ଚାବି ଅଛି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ନିୟମ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ମହାପ୍ରଭୁଙ୍କ ଅଳଙ୍କାରର ଆକଳନ କରାଯାଇଥାଏ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ୧୭ ଜଣିଆ ପ୍ରତିନିଧି ଦଳ ରତ୍ନଭଣ୍ଡାର ସ୍ଥିତି ଜାଣିବା ପାଇଁ ବାହାର ରତ୍ନଭଣ୍ଡାରର ଚାବି ଖୋଲିଥିଲେ । ସେତେବେଳେ ପରେ ଜଣାପଡିଥିଲା ଯେ ସେଠାରେ ପାଣି ଗଳୁଛି ଓ ଛାତ ଦୁର୍ବଳ ଅଛି ।

ଏ ସମସ୍ତ ତଥ୍ୟ ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ଥିବାବେଳେ ଚାବି ହଜିବା ସମ୍ପର୍କରେ କିଛି ଲେଖାଯାଇନାହିଁ । ତେଣୁ ପ୍ରକୃତରେ ଚାବି ହଜିଥିବା ନେଇ ବିଭିନ୍ନ ମହଲରେ ଏବେ ପ୍ରଶ୍ନ ଉଠୁଛି । ରତ୍ନଭଣ୍ଡାର ଭିତରେ ମରାମତିର ଆବଶ୍ୟକ ଥିବାବେଳେ କାହିଁକି ତାହା କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରେମୀ । ସେପଟେ ସରକାରଙ୍କ ସହ ଆଲୋଚନା କରି ରତ୍ନ ଭଣ୍ଡାର ଯାଞ୍ଚ ନେଇ ପଦକ୍ଷେପ ନିଆଯିବ ବୋଲି ନୂତନ ପରିଚାଳନା କମିଟି ସଦସ୍ୟ ମତ ରଖିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ବ୍ୟବସ୍ଥା ହୋଇଥିଲା । ତେବେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଜୁନ ୬ତାରିଖରେ ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଦାୟିତ୍ୱ ଦିଆଯାଇଥିଲା । ଏ ନେଇ କମିଶନ ତଦନ୍ତ କରି ବିସ୍ତୃତ ରିପୋର୍ଟ ଗୃହବିଭାଗକୁ ପ୍ରଦାନ କରିଥିଲେ। ଗୋଟିଏ ପଟେ ରିପୋର୍ଟକୁ ସାର୍ବଜନୀନ କରାଯାଇନଥିବା ବେଳେ ଅନ୍ୟପଟେ ଏବେ ଆସିଥିବା ଆରଟିଆଇ ତଥ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛି।