ଏବେ ବିବାଦ ଘେରରେ ଧର୍ମଗୁରୁ ପ୍ରେମାନନ୍ଦ ମହାରାଜଙ୍କ ବୃନ୍ଦାବନ ସ୍ଥିତ ଆଶ୍ରମ। ଆଶ୍ରମରୁ ଜଣେ ଶିଷ୍ୟଙ୍କ ଆତ୍ମହତ୍ୟା ପରେ ବଢ଼ିଚାଲିଛି ଅଡୁଆ। ଆଶ୍ରମରେ ଟଙ୍କା କାରବାରକୁ ନେଇ ଦେଖାଯାଇଥିଲା ବିବାଦ। ବିରାଟଙ୍କ ସହ ଟଙ୍କା ନେଣଦେଣ ଅଭିଯୋଗ ସାମ୍ନାକୁ ଆସିଥିଲା। ସେହି ୫ କୋଟି ବିବାଦ ନେଇ ମୁହଁ ଖୋଲିଛନ୍ତି କ୍ରିକେଟ ବିରାଟ କୋହଲି। ଟଙ୍କା କାରବାର ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ବିରାଟଙ୍କ ଟିମ। ବିରାଟଙ୍କ ମୁଖପାତ୍ର ଜାରି କରିଥିବା ବିବୃତିରେ କୁହାଯାଇଥିବା ଯେ “ଟଙ୍କା ନେଣଦେଣ ନେଇ କରାଯାଇଥିବା ଦାବି ସଂପୂର୍ଣ୍ଣ ମିଛ, ଭିତ୍ତିହୀନ ଓ ତଥ୍ୟାତ୍ମକ ଭାବେ ଭୁଲ।”

ଶ୍ରୀ କୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ସଭାପତି ଫଲାହରି ମହାରାଜ ଦାବି କରିଥିଲେ ଯେ ପ୍ରେମାନନ୍ଦ ମହାରାଜଙ୍କ ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ବିରାଟ କୋହଲିଙ୍କୁ ଅଣାଯାଇଥିଲା। ଏଥିପାଇଁ ୫ କୋଟି ଟଙ୍କାର କାରବାର ହୋଇଥିଲା। କିନ୍ତୁ ଏହାକୁ ଅଗ୍ରାହ୍ୟ କରି କୋହଲିଙ୍କ ଟିମ କହିଛି ଯେ, “ଫଲାହରି ମହାରାଜ ଦୀନେଶ ଶର୍ମାଙ୍କ ପକ୍ଷରୁ ବିରାଟ କୋହଲିଙ୍କୁ ନେଇ କରାଯାଇଥିବା ଦାବି ସଂପୂର୍ଣ୍ଣ ମିଛ, ଭିତ୍ତିହୀନ ଓ ତଥ୍ୟାତ୍ମକ ଭାବେ ଭୁଲ। ପ୍ରେମାନନ୍ଦ ମହାରାଜଙ୍କ ପ୍ରତି ଥିବା ନିଜର ବିଶ୍ୱାସ ଓ ଶ୍ରଦ୍ଧା ପାଇଁ ବିରାଟ କୋହଲି ମହାରାଜଙ୍କ ଦର୍ଶନ ପାଇଁ ଯାଉଛନ୍ତି।

ଆମେ ବେଶ ଦୃଢ଼ତାର ସହ ଏହି ଦାବିକୁ ଖଣ୍ଡନ କରୁଛୁ। ମିଡିଆ ଏହାର ରିପୋର୍ଟ କରିବା ବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରୁ। ଏପରି ଖବର ପ୍ରକାଶ କରିବା କିମ୍ବା ଏହାର ପ୍ରଚାର କରିବା ସମୟରେ ଉପଯୁକ୍ତ ତଥ୍ୟକୁ ଯାଞ୍ଚ କରାଯାଉ। ପୂରା ଘଟଣାକୁ ବେଶ ଉତ୍ତରଦାୟିତ୍ୱ ସହ ସମସ୍ତେ ବିଚାର କରନ୍ତୁ।” ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଯିବା ପାଇଁ ବିରାଟ ଓ ଅନୁଷ୍ଠା ଟଙ୍କା ପାଇଥିବା ନେଇ ଏଯାଏ କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ। ନିୟମିତ ଭାବେ ରାଧା କେଳି କୁଞ୍ଜ ଆଶ୍ରମକୁ ବିରାଟ ଓ ଅନୁଷ୍କା ଯିବାର ନଜିର ରହିଛି।