ଦିଲ୍ଲୀ ପୋଲିସ ପକ୍ଷରୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ନାଁରେ ଏତଲା

ଦିଲ୍ଲୀ ପୋଲିସ ପକ୍ଷରୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ନାଁରେ ଏତଲା। ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ନାଁରେ ଏତଲା ହୋଇଛି। ପୋଲିସକୁ ଆକ୍ରମଣ ଓ କର୍ତ୍ତବ୍ୟରେ ବାଧା ସୃଷ୍ଟି ଅଭିଯୋଗରେ ଏତଲା ଦିଆଯାଇଛି। CECଙ୍କ ଇସ୍ତଫା ଦାବିରେ କାଲି ପ୍ରଦର୍ଶନ ବେଳେ ଆକ୍ରମଣ ଅଭିଯୋଗ। ଦିଲ୍ଲୀ ପୁଲିସର ଅଭିଯୋଗ ଅନୁସାରେ, ବୁଧବାରର ଇଣ୍ଡିଆ ବ୍ଲକ୍‌ ବିକ୍ଷୋଭ ସମୟରେ ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଏହି ମାମଲା ହୋଇଛି। ଏହି ଏଫଆଇଆରରେ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କ ନାଁ ମଧ୍ୟ ରହିଛି।


ଏହା ପୂର୍ବରୁ ମଙ୍ଗଳବାରର ବିକ୍ଷୋଭକୁ ନେଇ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏକ ଏଫଆଇଆର ହୋଇଥିଲା। ନିର୍ବାଚନ କମିଶନ କାର୍ଯ୍ୟାଳୟ ଅଭିମୁଖେ ମାର୍ଚ୍ଚକୁ ପୁଲିସ ଅଟକାଇବା ପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କିଛି ବିରୋଧୀ ନେତା ବିନା ଅନୁମତିରେ ଆକାଶବାଣୀ ଭବନ ପରିସରକୁ ପ୍ରବେଶ କରିଥିବା ଅଭିଯୋଗ ରହିଛି। ବୁଧବାର ଇଣ୍ଡିଆ ବ୍ଲକ୍‌ର ନେତା ଓ ସାଂସଦମାନେ ଦିଲ୍ଲୀର ସାଗର ରତ୍ନରେ ମଧ୍ୟାହ୍ନ ଭୋଜନ ପରେ ବସ୍‌ ଯୋଗେ ଜନ୍ତରମନ୍ତର ଅଭିମୁଖେ ବାହାରିଥିଲେ। ତେବେ ଦିଲ୍ଲୀ ପୁଲିସ ସେମାନଙ୍କୁ ମଝିରାସ୍ତାରେ ଅଟକାଇଥିଲା। ଏହାପରେ ଶଙ୍ଗ୍ରି-ଲା ହୋଟେଲ ନିକଟ ଏକ ରାଉଣ୍ଡଆବାଉଟ୍‌ରେ ବିରୋଧୀ ନେତାମାନେ ଧାରଣା ଦେଇଥିଲେ। ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।