ଭୁବନେଶ୍ୱର : ଅଭିଯୁକ୍ତକୁ ନେଇ କୋର୍ଟ ଯାଇଥିବା ସମୟରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ଏଭଳି ଅଘଟଣ ଘଟିଛି ନୂଆପଲ୍ଲୀ ଥାନାରେ । ଦୁର୍ବୃତଙ୍କ ଆକ୍ରମଣରେ ନୂଆପଲ୍ଲୀ ଥାନାର କନଷ୍ଟେବଲ ବିକ୍ରମସେନ ବେହେରାଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଛନ୍ତି । ଏନେଇ ବଡଗଡ଼ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ବେଳେ ଆକ୍ରମଣ କରିଥିବା ଯୁବକଦ୍ୱୟ ଆଇନଜୀବୀ ବୋଲି ଜଣାପଡିଛି ।
ସୂଚନାନୁସାରେ , ଚୋରି ମାମଲାର ଅଭିଯୁକ୍ତକୁ ନେଇ ନୂଆପଲ୍ଲୀ ଥାନାର ଏକ ଏସକଟ ଟିମ କୋର୍ଟକୁ ଯାଇଥିଲା । ଅଭିଯୁକ୍ତକୁ ନେଇ ସିଏସଆଇ କୋର୍ଟକୁ ରଖି ସୁରକ୍ଷା ଦୃଷ୍ଟିରୁ ଫାଟକରେ ତାଲା ପକାଇଦେଇଥିଲେ । ଏହି ସମୟରେ ସାଦାପୋଷକରେ ଦୁଇଜଣ ଯୁବକ ଆଜି ଗେଟ ଖୋଲିବାକୁ କହିଥିଲେ । ହେଲେ ସେମାନେ ଗେଟ ଖୋଲି ନଥିଲେ । ପରେ ଯୁକ୍ତିତର୍କ ପରେ ଯୁବକଦ୍ୱୟ ଫାଟକ ଖୋଲିବାକୁ କହିବା ସହ ନିଜକୁ ଆଇନଜୀବୀ ବୋଲି ପରିଚୟ ଦେଇଥିଲେ । ପରେ ସେ ଗେଟ ଖୋଲି ଦେଇଥିଲେ ।
ଗେଟ ତାଲା କାହିଁକି ପକାଇଲୁ ବୋଲି କହି ଯୁବକଦ୍ୱୟ ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ତଳେ ପକାଇ ମାଡ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଥିଲେ । ପୋଲିସ ଟିମ ପହଁଚି ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣକାରୀ ଦ୍ୱୟ ଓକିଲ ହୋଇଥିବାରୁ ପୋଲିସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ କରିଛି । କୁହାଯାଉଛି, ଯଦି ଆକ୍ରମଣକାରୀ ଅନ୍ୟ କେହି ହୋଇଥାନ୍ତେ, ତେବେ ପୋଲିସ ନିଜର ପାରିବାପଣିଆ ଦେଖାଇ ସାରିଥାନ୍ତା, ହେଲେ ଏଠି ପୋଲିସ କି ପଦକ୍ଷେପ ନେବ, ତାହା ଉପରେ ନଜର ରହିଛି ।