ଦୁଃଖରେ ମର୍ମାହତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର; ଦୁଃଖରେ ମର୍ମାହତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ବିଜେଡିର ସୁପ୍ରିମୋ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ପୀଡ଼ିତାଙ୍କ ପରିବାରକୁ ସନ୍ତନା ଦେବା ସହିତ ଅପରାଗ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସରକାରଙ୍କ ଅବହେଳା ପାଇଁ ଆଜି ଗୋଟେ ନୀରିହ ଛାତ୍ରୀର ଜୀବନ ଚାଲିଯାଇଛି ।

ସେ କହିଛନ୍ତି , ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା। ସେ ଅତି ସାହସିକତାର ସହ ତା’ ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା। କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା। ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା। ଏପରି କି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା। ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା। ଛାତ୍ରୀଜଣଙ୍କର ଜୀବନ ଯିବା ପରେ ଏବେ ରାଜ୍ୟରେ ରାଜନୀତି ତୀବ୍ର ହେବାରେ ଲାଗିଛି ।