ପୁଣି ଏକ ହାତୀ କଙ୍କାଳ ଠାବ

କଟକ: ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଆଉ ଏକ ହାତୀର କଙ୍କାଳ ଠାବ କରାଯାଇଛି। ତଦନ୍ତ ପାଇଁ ଯାଇଥିବା ଏସଟିଏଫ ଟିମ୍ ଦ୍ୱାରା କଙ୍କାଳ ଠାବ ହୋଇଥିବା ଜଣାପଡିଛି। ପୂର୍ବରୁ ସମ୍ପୃକ୍ତ ଜଙ୍ଗଲରୁ ଦୁଇଟି ହାତୀ କଙ୍କାଳ ମିଳିଥିବା ଘଟଣାରେ ତଦନ୍ତ କରୁଥିବା ଏସଟିଏଫ ପୁଣି ଏକ ହାତୀ କଙ୍କାଳ ଠାବ କରିଛି। ସମ୍ପୃକ୍ତ ଘଟଣାରେ ଦୁଇ ଜଣ ଫରେଷ୍ଟର ଫେରାର ଥିବା ଜଣାପଡିଛି। ମିଳିଥିବା କଙ୍କାଳଟି ମାଇ ହାତୀ କି ଅଣ୍ଡିରା ହାତୀ ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢିବାରେ ଲାଗିଛି। ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି। ଗତ ୧୬ ତାରିଖରେ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଏହାଛଡା ସମ୍ବଲପୁରରେ ମଧ୍ୟ ପୋଖରରୀରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ତାକୁ ପୂର୍ବରୁ ମଧ୍ୟ ଗୁଳିମାଡ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଥିଲା।