ତୃଣମୂଳ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ସରଗରମ

ରାଜେଶ ସାହୁ (ରିପୋର୍ଟସ ଟୁଡେ) : ରାଜ୍ୟରେ ପୌର ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି । ଏପରିକି ପୌର ନିର୍ବାଚନରେ ସଂରକ୍ଷଣ ସମ୍ବନ୍ଧୀୟ ଦୁଇଟି ଆଇନରେ ଏପର‌୍ୟ୍ୟନ୍ତ ସଂଶୋଧନ ଅଣାଯାଇନି । ଏହାକୁ କ୍ୟାବିନେଟ୍ରେ ଅନୁମୋଦନ, ବିଧାନସଭାରେ ପାରିତ କରିବା ବାକି ଅଛି। ହେଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି ।
ପଞ୍ଚାୟତ ତଥା ପୌର ନିର୍ବାଚନକୁ ଆଖିରେ ରଖି ରାଜ୍ୟରେ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀଙ୍କ ହାଇ ଭୋଲଟେଜ୍ ସଭା ସମାବେଶ ଆରମ୍ଭ ହୋଇଯାଇଛି । ଗୋଟିଏ ଦିନରେ ତିନି କେନ୍ଦ୍ର ମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ତାହାର କ୍ୟାମ୍ପେନକୁ ଜୋରଦାର କରିଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ଯୋଜନା କରିବା ସହ ଜିଲ୍ଲା ଗସ୍ତ ଆରମ୍ଭ କରି ଦେଇଛନ୍ତି । ରାଜ୍ୟର ଦୁଇ ଦଳର ନଜର ପଶ୍ଚିମ ଓଡିଶା ଉପରେ । ଓଡିଶାରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥିବାରୁ ପଶ୍ଚିମ ଓଡିଶାରେ ରେଳ ପ୍ରୋଜେକ୍ଟ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି । ଅନ୍ୟପଟେ ବିଜେଡି ସ୍ୱାସ୍ଥ୍ୟ ବିମା କାର୍ଡର ଥୋପ ପକାଉଛି ।
ନିକଟରେ ୧୧୪ଟି ପୌରାଞ୍ଚଳରେ ୮୯ଟି ସ୍ଥାନରେ ବିଜୁ ପଟ୍ଟନାୟକ ଖେଳ ଭବନ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା ପରେ ବିରୋଧି ଛାନିଆରେ ରହିଛି । ବିଜେପି ଯଥା ଶୀଘ୍ର ପୌର ନିର୍ବାଚନ କରିବାକୁ ଦାବି କରିଚାଲିଛି। ଏପରିକି ରାଜ୍ୟପାଳ, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ପତ୍ର ଦେବା ସହ ହାଇକୋର୍ଟରେ ଏକାଧିକ ମାମଲା ଦାୟର କରିଲାଣି ବିଜେପି। ଏପରି କରି ବିଜେପି ଅର୍ଥ ବଳ ବାହୁ ବଳ ବଦଳରେ ଆଇନକୁ ପ୍ରାଧାନ୍ୟ ଦେଉଥିବା ରାଜ୍ୟବାସୀଙ୍କୁ ଜଣାଇବାକୁ ଚାହୁଁଛି । ଆଇନଗତ ପ୍ରକ୍ରିୟାରେ ଯାଇ ବିଜେପି ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡୁଥିବା ଜଣାଉଛି । ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରୁଛି। ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି।
ବିଜେଡି ଓ ବିଜେପି ଉଭୟ ଦଳ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଗୋଟି ଚଳାଇବା ଆରମ୍ଭ କରି ଦେଇଥିବା ବେଳେ କିନ୍ତୁ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦଳକୁ ପଛରୁ ଟାଣୁଥିବା ପରି ମନେ ହେଉଛି । ପୂର୍ବରୁ ଦଳ ଭିତରେ ଚାଲିଆସୁଥିବା ଗୋଷ୍ଠୀ କନ୍ଦଳକୁ କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀପତି ସର୍ବସମ୍ମୁଖକୁ ନେଇ ଆସିଛନ୍ତି । ସେ ପିସିସି ସଭାପତିଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରୁଥିବା କହିବାକୁ ମଧ୍ୟ ପଛଉ ନାହାନ୍ତି । କୋରାପୁଟରେ କଂଗ୍ରେସର ସ୍ଥିତି ସାମାନ୍ୟ ଭଲ ଥିବା ବେଳେ କିନ୍ତୁ ଏବେ ଗଡକୁ ସାଂସଦ ସପ୍ତଗିରି ଉଲ୍ଲାକା ଓ ତାରା ବାହିନୀ ପତିଙ୍କ କଳି ବିଭାଜିତ କରି ଦେଉଛି । ଗୋଟିଏ ପଟେ ଦଳ ଦୀର୍ଘ କାଳରୁ କ୍ଷମତାଠୁ ଦୂରେଇ ରହିଛି, ଅନ୍ୟ ପଟେ ନିର୍ବାଚନ ପୂର୍ବରୁ ଦଳୀୟ କନ୍ଦଳକୁ ନେଇ ଫାଇଦା ଉଠାଇବାକୁ ଦୁଇ ପ୍ରମୁଖ ଦଳ ସଜ ହୋଇ ବସିଛନ୍ତି । ଏପରି ସମୟରେ ଦଳ କେତେଦୂର ଲୋକଙ୍କୁ ଆକୃଷ୍ଟ କରିବ ତାହା ତ ନିର୍ବାଚନ ପରେ ଜଣାପଡିବ । ତେବେ ମୁଖ୍ୟ ଲଢେଇ ହେଉଥିବା ବିଜେପିର ରେଳ ପ୍ରକଳ୍ପ ଓ ବିଜେଡିର ସ୍ୱାସ୍ଥ୍ୟ ବିମା ଯୋଜନାରୁ କେଉଁଠି ଲୋକଙ୍କୁ ଆକୃଷ୍ଟ କରିବ ତାହା ଦେଖିବାକୁ ବାକି ରହିଲା