ଦେବଗଡ: ଜେଲରୁ ବାହାରିଲେ ଓଡ଼ିଶା ଡ୍ରାଇଭର ମହାସଙ୍ଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା । ଜାମିନ ମଞ୍ଜୁର ହେବା ପରେ ଦେବଗଡ଼ ଜେଲରୁ ମୁକୁଳିଛନ୍ତି ଆଦିତ୍ୟ ବେହେରା । ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିଲେ ଆଦିତ୍ୟ । ଦେବଗଡରୁ ଆଦିତ୍ୟ ବେହେରାଙ୍କୁ ଗିରଫ କରିଥିଲା ପୁଇଁତଳା ଥାନା ପୋଲିସ୍ । ଦେବଗଡ ସହର ନୂତନ ବସଷ୍ଟାଂଟ ନିକଟ ଡ୍ରାଇଭର ମହାସଙ୍ଘ କାର୍ଯ୍ୟାଳୟରେ ଥିବା ବେଳେ ଗତ ଜୁଲାଇ ୧୧ ତାରିଖ ବିଳମ୍ବିତ ରାତିରେ ଆଦିତ୍ୟଙ୍କୁ ଉଠାଇ ନେଇଥିଲା ପୋଲିସ । ପୁଇଁତଳା ଥାନା ଭଇଁସାପାଲି ନିକଟରେ ମିନି ଟ୍ରକ ଚାଳକଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିଲେ ଆଦିତ୍ୟ । ପୁଇଁତଳା ଥାନା ଭାଲେର ଗ୍ରାମର ମନୋଜ ବଗର୍ତି ମିନି ଟ୍ରକ ନେଇ ଯାଉଥିବାବେଳେ ୩୦ରୁ ୪୦ଜଣ ଡ୍ରାଇଭର ତାଙ୍କୁ ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଡ୍ରାଇଭରଙ୍କ ଆକ୍ରମଣରେ ମନୋଜ ଆହତ ହୋଇଥିଲେ । ଏହି ଘଟଣାରେ ସ୍ଥାନୀୟ କିଛି ଡ୍ରାଇଭର ପୂର୍ବରୁ ଗିରଫ ହୋଇଥିବାବେଳେ ଜୁଲାଇ ୧୧ ତାରିଖରେ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟଙ୍କୁ ଗିରଫ କରାଯାଇଥିଲା । ଏବେ ଜାମିନ ମଞ୍ଜୁର ହେବା ପରେ ଦେବଗଡ ଜେଲରୁ ବାହାରିଛନ୍ତି ଆଦିତ୍ୟ ।