Bihar: ବିହାରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ (NDA) ବଡ଼ ସଫଳତା ହାସଲ କରିଛି। ମୋଟ ୫ଟି ଆସନ ପାଇଁ ହୋଇଥିବା ଭୋଟିଂରେ ୫ଟି ଯାକ ଆସନ NDA ଖାତାକୁ ଯାଇଛି। ଏହା ସହ ବିହାରରେ ମହାମେଣ୍ଟକୁ ବଡ଼ ପରାଜୟ ସହ ମୁହାଁ ଦେବାକୁ ପଡ଼ିଛି।
ରାଜ୍ୟସଭା ନିର୍ବାଚନରେ ନୀତିଶ୍ କୁମାରଙ୍କ ଦଳ ଜେଡିୟୁରୁ ନୀତୀଶ କୁମାର, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନ, କେନ୍ଦ୍ରମନ୍ତ୍ରୀ ରାମ ନାଥ୍ ଠାକୁର, ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ମୁଖ୍ୟ ଉପେନ୍ଦ୍ର କୁଶୱାହା ଓ ବିଜେପିର ଶିକେଶ କୁମାର ବିଜୟୀ ହୋଇଛନ୍ତି। ମହାମେଣ୍ଟ ପକ୍ଷରୁ କଂଗ୍ରେସ ବିଧାୟକ ମନୋଜ ବିଶ୍ଵାସ, ସୁରେନ୍ଦ୍ର କୁଶୱାହା ଓ ମନୋହର ପ୍ରଶାଦ ସିଂ ମତଦାନରୁ ବିରତ ରହିଥିବା ବେଳେ ଆରଜେଡି ବିଧାୟକ ଫୈଶଲ୍ ରେହମାନ ପୁଲିଂ ବୁଥକୁ ଆସିନଥିଲେ। ଏହାର ପରିଣାମରେ ମହାମେଣ୍ଟର ହାର ଆଉ ବଢ଼ିଗଲା।
ବିହାର ବିଧାନସଭାର ମୋଟ ୨୪୩ଟି ଆସନ ଥିବାବେଳେ ରାଜ୍ୟସଭାର ୫ଟି ଆସନ ପାଇଁ ଭୋଟିଂ ହୋଇଥିଲା। ଏହି ୫ଟି ଆସନ ପାଇଁ ୬ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ। ସଂଖ୍ୟାବଳ ଅନୁସାରେ NDA ୪ଟି ଆସନ ଓ ମହାମେଣ୍ଟ ୧ଟି ଆସନ ଜିତିବା ସମ୍ଭାବନା ଥିଲା। କିନ୍ତୁ ମହାମେଣ୍ଟର ୪ଜଣ ବିଧାୟକ ଭୋଟଦାନରୁ ବିରତ ରହିବାରୁ ସମସ୍ତ ୫ଟି ଆସନ NDA ଖାତାକୁ ଯାଇଛି।