ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି…

ଓଡିଶାରେ ବଢୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅସନ୍ତୋଷ ଝାଡିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନିଜର ସୋସିଆଲ ମିଡିଆରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗତକାଲି ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏ ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି। କୁଆଡ଼େ ଯାଉଛି ପୋଲିସ ପ୍ରଶାସନ, କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି।


ସେ ପ୍ରଶ୍ନ କରିଛନ୍ତି ଯେ ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର। ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ଦାବି କରିଛନ୍ତି ନବୀନ।