ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ…

ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ସତ୍ୟବାଦୀ ସାହିତ୍ୟରେ ଶ୍ରୀଜଗନ୍ନାଥ  ଚେତନା’ ଶୀର୍ଷକ ଏକ ଜାତୀୟ ପାଠଚକ୍ର ଆୟୋଜିତ ହୋଇଯାଇଅଛି । କୁଳପତି ପ୍ରଫେସର (ଡ଼) ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ଡକ୍ଟର ରାଜେନ୍ଦ୍ରପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ବିହାରର ପ୍ରାକ୍ତନ କୁଳାଧିପତି ପ୍ର. ପ୍ରଫୁଲ୍ଲ ମିଶ୍ର ମୁଖ୍ୟ ଅତିଥି, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ଵରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ର. ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ହିମାଚଳ ପ୍ରଦେଶର ସହକାରୀ ପ୍ରଫେସର ଡ. ଗୌରିଶଙ୍କର ସାହୁ ସମ୍ମାନିତ ଅତିଥି, ବରିଷ୍ଠ ଶିକ୍ଷାବିତ୍ ତଥା ସଂସ୍କୃତ ପ୍ରାଧ୍ୟାପକ ଡ. ଗୋପାଳ ପ୍ରସାଦ ମହାପାତ୍ର ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁରର ପ୍ରାକ୍ତନ ପ୍ରଫେସର ଡ. ପୂର୍ଣ୍ଣଚନ୍ଦ୍ର ମିଶ୍ର ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ପାଠଚକ୍ର ଆରମ୍ଭ ହେବା ପୂର୍ବରୁ କୁଳପତି ପ୍ରଫେସର (ଡ.) ଆଚାର୍ଯ୍ୟ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଙ୍କ ସହ ପଞ୍ଚସଖା ସମାଧି ପୀଠ ଯାଇ ଓଡ଼ିଶାର ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଏବଂ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ରାଧାକୁଣ୍ଡରେ ତିଳତର୍ପଣ ସମାପନ କରିଥିଲେ ।  ପାରମ୍ପରିକ ଭାବେ ପ୍ରଦୀପ ପ୍ରଜ୍ଵଳନ, ମନ୍ତ୍ରପାଠ ଓ ରାଜ୍ୟସଂଗୀତ ଗାନ ପରେ ପାଠଚକ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ନାତୋକୋତ୍ତର ପରିଷଦର ଅଧ୍ୟକ୍ଷା ଡ. ଲିପିକା ନାୟକ ଅତିଥି ପରିଚୟ ପ୍ରଦାନ ପୂର୍ବକ ଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ପ୍ର.ମିଶ୍ର ପଣ୍ଡିତ ଗୋପବନ୍ଧୁଙ୍କ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ସମ୍ବଳିତ ଉତ୍କଳପ୍ରାଣତା ତଥା ସର୍ବଭାରତୀୟତା ଚିରବନ୍ଦନୀୟ ବୋଲି କହିଥିଲେ । ମୁଖ୍ୟ ବକ୍ତା ପ୍ର . ପଣ୍ଡା ପଞ୍ଚସଖାଙ୍କ ମଧ୍ୟରୁ ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶଙ୍କ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା ଆଲୋଚନା ପ୍ରସଙ୍ଗରେ ମୁଖ୍ୟତଃ ପଣ୍ଡିତ ଗୋପବନ୍ଧୁଙ୍କ କବିତାରେ ଥିବା ଚେତନା ଧର୍ମ ବା କ୍ରିୟାଚାର ନୁହେଁ, ବରଂ ଅଧ୍ୟାତ୍ମିକତା ବୋଲି ଦର୍ଶାଇଥିଲେ । ସମ୍ମାନିତ ବକ୍ତା ଡ. ମିଶ୍ର ପଣ୍ଡିତ ଗୋପବନ୍ଧୁଙ୍କ କବିତାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରଦେବତା ଭାବରେ ଅଧିଷ୍ଠିତ ବୋଲି ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଡ. ମହାପାତ୍ର ଭକ୍ତି, ଆବେଗ ଓ ଅଧ୍ୟାତ୍ମିକତାକୁ ଶ୍ରୀଜଗନ୍ନାଥ ଚେତନାର ମୂଳାଧାର ରୂପେ ସୂଚାଇ ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ‘ବନ୍ଦୀର ଆତ୍ମକଥା’ ପୁସ୍ତକରେ ଏହାର ପ୍ରଭାବ ଦର୍ଶାଇଥିଲେ ।  ସମ୍ମାନିତ ଅତିଥି ଡ. ସାହୁ ଶ୍ରୀଜଗନ୍ନାଥ ଚେତନାର ବୈଶିଷ୍ଟ୍ୟ ଭାବରେ ତ୍ୟାଗ ଓ ତିତିକ୍ଷାର କଥା ଉଲ୍ଲେଖ କରି ସତ୍ୟବାଦୀ ସାହିତ୍ୟରେ ଏହାର ନିଦର୍ଶନ ବିଦ୍ୟମାନ ବୋଲି ସୂଚାଇଥିଲେ । ଶେଷରେ ଅଧ୍ୟକ୍ଷ ପ୍ରଫେସର (ଡ଼ )ଆଚାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ରଚିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ‘ନୀଳାଚଳେ ନୀଳମାଧବ’ କବିତାର ଉଲ୍ଲେଖ କରି ସଭାପତି ଅଭିଭାଷଣ ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନର ଦାୟତ୍ଵ ନିର୍ବାହ କରିଥିଲେ ପାଠଚକ୍ର ସଂଯୋଜିକା ଡକ୍ଟର ଶର୍ମିଷ୍ଠା ମହାପାତ୍ର | ବିଶ୍ବବିଦ୍ୟାଳୟର କୁଳସଚିବ, ବିତ୍ତ ନିୟନ୍ତ୍ରକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପରୀକ୍ଷା ନିୟନ୍ତ୍ରକ, ସମସ୍ତ ଅଧ୍ୟାପକ /ଅଧ୍ୟାପିକା ତଥା ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ | ପରିଶେଷରେ ‘ଓଡ଼ିଆ ଭାଷା ଓ ସାହିତ୍ୟ’ ବିଭାଗମୁଖ୍ୟ ଡ. ରାଧାଗୋବିନ୍ଦ କୁଇଲା ଓଡ଼ିଶା ସାହିତ୍ୟ ଏକାଡେମୀର ସହଯୋଗ ଏବଂ ଉପସ୍ଥିତ ଅତିଥି, ଅଧ୍ୟାପକ, କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।