ହିଜାବ ମାମଲାରେ ଆଜି କର୍ଣ୍ଣାଟକରେ ମୁସଲିମ ସଂଗଠନ ପକ୍ଷରୁ ବନ୍ଦ ଡାକରା

ବେଙ୍ଗାଲୁରୁ: ଜଟିଳ ରୂପ ଧାରଣ କରିବାରେ ଲାଗିଛି କର୍ଣ୍ଣାଟକର ହିଜାବ ମାମଲା । ହାଇକୋର୍ଟଙ୍କ ରାୟ ବିରୋଧରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ କର୍ଣ୍ଣାଟକ ବନ୍ଦ ପାଳନ କରୁଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟ । ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ନ ପିନ୍ଧିବାକୁ ହାଇକୋର୍ଟଙ୍କ ରାୟକୁ ଦୁଃଖଦାୟକ କହିଛି ସଂପ୍ରଦାୟ । ସମସ୍ତଙ୍କୁ ବିକ୍ଷୋଭରେ ସାମିଲ ହୋଇ ପ୍ରତିବାଦ କରିବାକୁ ଆହ୍ବାନ ଦିଆଯାଇଛି । ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରି କରି ଛାତ୍ରଛାତ୍ରୀଙ୍କୁ ଧାର୍ମିକ ପୋଷାକ ପିନ୍ଧିବାକୁ ବାରଣ କରିଛନ୍ତି କୋର୍ଟ ।

ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଦିନ ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କରିଥିଲେ। ଅଦାଲତର କହିବା ଅନୁଯାୟୀ, ମୁସଲିମ ମହିଳାମାନଙ୍କ ଦ୍ୱାରା ହିଜାବ ପିନ୍ଧିବା ଇସଲାମ ଧର୍ମର ଏକ ଧାର୍ମିକ ପ୍ରଥା ନୁହେଁ । ସ୍କୁଲ ଓ କଲେଜ ମାନଙ୍କରେ ପ୍ରଦତ୍ତ ନିୟମ ଅନୁଯାୟୀ, ଛାତ୍ରଛାତ୍ରୀ ମାନେ ଏହି ସ୍ଥାନକୁ କେବଳ ୟୁନିଫର୍ମରେ ହିଁ ପ୍ରବେଶ କରିପାରିବେ । ଏହାକୁ ବିରୋଧ କରି ଛାତ୍ରୀମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି |

ସେପଟେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ୧୨୯ ପୃଷ୍ଠାର ରାୟ ପ୍ରଦାନ କରିବା ପରେ ଜଣେ ଛାତ୍ର ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି ହିଜାବ୍ ପିନ୍ଧିବାର ଅଧିକାର ‘ଅଭିବ୍ୟକ୍ତି’ର ଆଭିମୁଖ୍ୟରେ ଆସିଛି । ଏହା ସମ୍ବିଧାନର ଧାରା ୧୯(କ) ଅନୁଯାୟୀ ସୁରକ୍ଷିତ, ଧାରା ୨୫ ଅନୁଯାୟୀ ହିଜାବ ପିନ୍ଧିବାର ଅଧିକାର ମଧ୍ୟ ସୁରକ୍ଷିତ ଥିବା ଚ୍ୟାଲେଞ୍ଜକୁ ହୋଲି ଛୁଟି ପରେ ବିଚାର କରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୁରନ୍ତ ବିଚାର ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ଏହାକୁ ଖାରଜ କରିଛନ୍ତି ପ୍ରଧାନ ବିଚାରପତି ।

ତେବେ ଆଜି ବନ୍ଦରେ ସାମିଲ ରହିଏବାକୁ ରାଜ୍ୟ ବାଣିଜ୍ୟ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁସଲିମ ନେତା ସାଗିର ଅହମ୍ମଦ ଘୋଷଣା କରିଛନ୍ତି ଯେ, ଗୁରୁବାର ସେ ମୁସଲମାନ ସମ୍ପ୍ରଦାୟର ଧର୍ମଗୁରୁମାନଙ୍କ ସହ ଏକ ବୈଠକ କରିବେ। ଏଥିସହ ବନ୍ଦରେ ଅଂଶଗ୍ରହଣ କରିବାକୁ କାହା ଉପରେ କୌଣସି ବାଧ୍ୟବାଧକତା କରାଯିବ ନାହିଁ ଏବଂ ଏହା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି |

ଆମୀର-ଇ-ଶରିୟତଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ସଲିମ ଅହମ୍ମଦ, ଜାମିର ଅହମ୍ମଦ ଖାନ, ନାଜିର ଅହମ୍ମଦ, ରେହମାନ ଖାନଙ୍କ ସମେତ ଅନ୍ୟ ଅନେକ ନେତା ଓ ମୁସଲିମ ଧର୍ମଗୁରୁ ସାମିଲ ହୋଇଥିଲେ। ହିଜାବ କଟକଣା ନେଇ କୋର୍ଟର ନିଷ୍ପତ୍ତିରେ କୌଣସି ପ୍ରକାର ବିଚଳିତ ହେବା ଆବଶ୍ୟକ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ଏହା ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବାକୁ ଅନୁମତି ଦିଆଯାଇଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲଙ୍କ ସହ ଆଲୋଚନା ହୋଇଛି ବୋଲି ସାଗିର ଅହମ୍ମଦ କହିଛନ୍ତି।