ନୂଆଦିଲ୍ଲୀ: ବିହାରର ବଗହା ନଗରର ନରଇପୁରରେ ନିକିତା ନାମ୍ନୀ ଜଣେ ଯୁବତୀ ସହାୟକ ଅଭିଯୋଜନା ଅଧିକାରୀ (ଏପିଓ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନିକିତାଙ୍କ ଏହି ସଫଳତା ପାଇଁ ସମ୍ପୂର୍ଣ୍ଣ ସହର ଗର୍ବିତ। ନିକିତା ଯେତେବେଳେ ଚାରିବର୍ଷର ଥିଲେ ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଏଭଳି କଷ୍ଟ ସମୟରେ ତାଙ୍କ ମା’ ଖୁବ ପରିଶ୍ରମ କରି ୭ଜଣ ପିଲାଙ୍କୁ ପାଳିପୋଷି ବଡ଼ କରିଥିଲେ। ୭ଜଣ ଭାଇଭଉଣୀଙ୍କ ମଧ୍ୟରୁ ନିକିତା ସ୍କୁଲରେ ପାଠପଢ଼ିବା ପରେ ପ୍ରତିଯୋଗୀ ମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଇଲହାବାଦ ଚାଲି ଯାଇଥିଲେ।
ତେବେ ନିକିତାଙ୍କ ପାଠପଢ଼ା ପ୍ରତି ପିଲାଟି ଦିନରୁ ଦୁର୍ବଳତା ରହିଥିଲା। ବଡ଼ଭଉଣୀ ପାଠପଢ଼ି କେମିତି ଜଣେ ଭଲ ଅଧିକାରୀ ହେଉ ସେଥିପାଇଁ ଛୋଟ ଭଉଣୀ ବିଭା ଆର୍ଥିକ ଭାବେ ସାହାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଥିଲେ। ପରୀକ୍ଷା ପ୍ରସ୍ତୁତି ସମୟରେ ନିକିତାଙ୍କୁ ଯାହାକି ଆର୍ଥିକ ସାହାଯ୍ୟ ଲୋଡ଼ା ହେଲା ସାନ ଭଉଣୀ ଟ୍ୟୁସନ କରି ସବୁକିଛି ବହନ କରିଥିଲେ। ନିକିତା ୬ବର୍ଷ ଧରି କ୍ରମାଗତ ପରିଶ୍ରମ କରିବା ପରେ ୨୦୨୩ରେ ବିପିଏସସି ପକ୍ଷରୁ ଆୟୋଜିତ ଏପିଓ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସମସ୍ତ ଶ୍ରେୟ ନିକିତା ତାଙ୍କ ମା’ ଓ ଭଉଣୀ ନିଭାଙ୍କୁ ଦେବା ସହିତ କେମିତି ପାଠପଢ଼ିବାକୁ ହେବ ସେ ବିଷୟରେ ପରାମର୍ଶ ଦେଇ ଆସୁଥିବା ସମ୍ପର୍କୀୟ ଭାଇ ଦୀପକଙ୍କୁ ଦେଇଛନ୍ତି।