ଭୁବନେଶ୍ୱର : ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନର ଯୁବାଙ୍କୁ ଅଧିକ କୁଶଳୀ ଗଢିବା ତଥା ଆତ୍ମନିଯୁକ୍ତି ତାଲିମ ଯୋଗାଇବା ନିମନ୍ତେ ଏହି ବୁଝାମଣା ହୋଇଛି । ଏସ.ଏସ.ୟୁ.ର ଆଜୀବନ ସଭାପତି ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୋ କଲେଜର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଏବଂ ଏସ.ଏସ.ୟୁ.ର ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣି ଉପସ୍ଥିତ ରହି ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ।
ସମ୍ପୃକ୍ତ ବୁଝାମଣା ଜରିଆରେ ମୋ କଲେଜ ଅଧିନରେ ରହିଥିବା ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗୀ ସେଲ (ଇ-ସେଲ)ଗଢାହେବ । ଏହି ସେଲ ଆତ୍ମ ନିଯୁକ୍ତି ସୃଷ୍ଟି ତଥା କୃଷି ଭିତ୍ତିକ ଷ୍ଟାର୍ଟ-ଅପ ନେଇ ବିଦ୍ୟାର୍ଥୀଙ୍କୁ ତାଲିମ ଯୋଗାଇବ । ଏନେଇ ପ୍ରଥମେ କେତେଜଣ ବିଦ୍ୟାର୍ଥୀ ଓ ଷ୍ଟାଫ ସଂଯୋଜକ/ ସଂଯୋଜିକାଙ୍କୁ ଚୟନ କରାଯିବ । ପରେ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ତାଲିମ (ଟ୍ରେନିଙ୍ଗ ଅଫ ଟ୍ରେନର୍ସ) ଯୋଗାଇ ଦିଆଯିବ । ସେଲର ତାଲିମପ୍ରାପ୍ତ କର୍ମକର୍ତ୍ତାମାନେ ନିୟମିତ ବ୍ୟବଧାନରେ ଆତ୍ମନିଯୁକ୍ତି ସମ୍ପର୍କିତ କାର୍ଯ୍ୟକ୍ରମ, କର୍ମଶାଳା ଓ ଆଲୋଚନାଚକ୍ର ଆଦି ଆୟୋଜନ କରିବେ । କ୍ରମଶଃ ଏହି କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାକୁ ବ୍ୟାପିବ ଏବଂ ଏହା ରାଜ୍ୟର ଉଚ୍ଚ ଶିକ୍ଷା ଓ ଷ୍ଟାର୍ଟ-ଅପ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ ।
ଏହି ଅବସରରେ ମୋ କଲେଜ ଅଧ୍ୟକ୍ଷ ଦାସନାୟକ କହିଛନ୍ତି ଯେ, ଏହି ବୁଝାମଣା ଜରିଆରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗୀ ସେଲ ଗଢା ହେବ । ସମ୍ପୃକ୍ତ ସେଲ ନୂଆ ଉଦ୍ୟୋଗୀ ସୃଷ୍ଟି ନେଇ ତତ୍ତ୍ୱାବଧାନ ଯୋଗାଇବ । ବିଶେଷ କରି ସେଲର କର୍ମକର୍ତ୍ତାମାନେ କୃଷି ଓ କୃଷି ଭିତ୍ତିକ ଷ୍ଟାର୍ଟ-ଅପ ଉପରେ ଅଧିକ ଗୁରୁତ୍ୱ ଦେବେ । ଅନୁରୂପ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଭିତ୍ତିଭୂମି ମଜବୁତ ହେବ । ଫଳରେ ଅଧିକରୁ ଅଧିକ ଆଗ୍ରହୀ ବିଦ୍ୟାର୍ଥୀ ଆତ୍ମନିଯୁକ୍ତି ଜ୍ଞାନକୌଶଳ ଆହରଣ କରିପାରିବେ । ସେହିପରି ଏସ.ଏସ.ୟୁ.ର ସଭାପତି ପ୍ରଫେସର କୁଲକର୍ଣ୍ଣି କହନ୍ତି, ବୁଝାମଣାକୁ ସଫଳ କରିବା ନିମନ୍ତେ ଉଭୟ ଅନୁଷ୍ଠାନର ପାରସ୍ପରିକ ସହଯୋଗ ରହିବ । ଯାହା ଆତ୍ମନିଯୁକ୍ତି ଓ ଷ୍ଟାର୍ଟ-ଅପ ଓଡ଼ିଶା କ୍ଷେତ୍ରରେ ନୂଆ ଦିଶା ଦେଖାଇବ । ଚୁକ୍ତିପତ୍ର ସ୍ୱାକ୍ଷର ସମୟରେ ‘ଏସ.ଏସ.ୟୁର ପ୍ରଫେସର ଆର.ଏନ ଶତପଥୀ, ଡ. ବରଦା ପ୍ରସାଦ ପାଣିଗ୍ରାହୀ ଏବଂ ‘ମୋ କଲେଜର ଆଦିତ୍ୟ ଚୌଧୁରୀ ଉପସ୍ଥିତ ଥିଲେ ।