ଟେନିସ୍ ଜଗତରେ ନୂଆ ଇତିହାସ ରଚିଲେ ରୁଷୀୟ ତାରକା ମୀରା ଆନ୍ଦ୍ରିଭା। ଡବ୍ଲ୍ୟୁଟିଏ ଫାଇନାଲ୍ସ ଏକକ ବର୍ଗରେ ଚାମ୍ପିୟନ ହୋଇ ହାତେଇଛନ୍ତି ଟ୍ରଫି। ଫାଇନାଲ୍ ମୁକାବିଲାରେ ୟୁକ୍ରେନ୍ର ଏଲିନା ସ୍ୱିତୋଲିନାଙ୍କୁ ସିଧାସଳଖ ୭-୫, ୬-୩ ସେଟ୍ରେ ପରାସ୍ତ କରିଛନ୍ତି ଆନ୍ଦ୍ରିଭା। ଏହି ବିଜୟ ସହ ଟେନିସ୍ ଜଗତରେ ନିଜ ଦବ୍ଦବା ଜାହିର କରିଛନ୍ତି ଏହି ୧୯ ବର୍ଷୀୟ ତାରକା।

ପ୍ରତିଯୋଗିତାରେ ଆନ୍ଦ୍ରିଭା ଅପରାଜେୟ ରହି ୫-୦ ରେକର୍ଡ ସହ ଟାଇଟଲ୍ ହାସଲ କରିଛନ୍ତି। ଏଥିସହ ଡବ୍ଲ୍ୟୁଟିଏ ମାନ୍ୟତାରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଚାମ୍ପିୟନ ହେବା ସହ ତାଙ୍କୁ ମିଳିଛି ୩.୩୭ ନିୟୁତ ଡଲାର, ଅର୍ଥାତ୍ ପ୍ରାୟ ୩୨ କୋଟି ଟଙ୍କାର ପୁରସ୍କାର ରାଶି। ଏହା ସହ ଉପହାରରେ ପାଇଛନ୍ତି ଗାଢ଼ ବାଇଗଣୀ ରଙ୍ଗର ଏକ ମର୍ସିଡିଜ୍ ବେଞ୍ଜ କାର୍। ଇଣ୍ଡିଆନ୍ ୱେଲ୍ସ କୋର୍ଟରେ କାର୍ ପହଞ୍ଚିବା ପରେ ଚାଳକ ସିଟ୍ରେ ବସି ବିଜୟ ଉତ୍ସବକୁ ସ୍ମରଣୀୟ କରିଥିଲେ ଆନ୍ଦ୍ରିଭା।
ସେପଟେ ଯୁଗଳ ବର୍ଗରେ ଚାମ୍ପିୟନ ହୋଇଛନ୍ତି ଚେକ୍ ଗଣରାଜ୍ୟର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡଙ୍କ ଯୋଡ଼ି। ଫାଇନାଲ୍ରେ ଇଟାଲୀର ସାରା ଏରାନି ଓ ଜସ୍ମିନ୍ ପାଓଲିନିଙ୍କୁ ୬-୪, ୬-୩ ସେଟ୍ରେ ହରାଇ ଟ୍ରଫି ହାତେଇଛନ୍ତି ଏହି ଯୋଡ଼ି। ଚଳିତ ବର୍ଷ ଫ୍ରେଞ୍ଚ ଓପନ୍ ଓ ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିବା ଏହି ଯୋଡ଼ି ଡବ୍ଲ୍ୟୁଟିଏ ଫାଇନାଲ୍ସରେ ମଧ୍ୟ ନିଜ ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି।
