ବାତ୍ୟା ଅକଭାନ୍କୁ ନେଇ ଓଡ଼ିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ସିଧାସଳଖ ମାଡ଼ ହେବନି ବାତ୍ୟା। ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତର ରୂପ ନେବ। ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ଆଶଙ୍କା ରହିଛି।
ପାଣିପାଗ ସୂଚନା ଅନୁସାରେ, ବାତ୍ୟା ଅକଭାନ୍ ବର୍ତ୍ତମାନ ଦକ୍ଷିଣ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ–କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର–ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସମୟରେ ଆନ୍ଧ୍ରପ୍ରଦେଶର ନେଲୋର ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହାପରେ ଧୀରେ ଧୀରେ ଦୁର୍ବଳ ହୋଇ ଉତ୍ତର–ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେବ। ମାଲକାନଗିରି ନିକଟରେ ପହଞ୍ଚିବା ବେଳକୁ ଏହା ଅବପାତରେ ପରିଣତ ହୋଇଥିବା ସମ୍ଭାବନା ରହିଛି।
ଅନ୍ୟପଟେ ବାତ୍ୟାର ବାହ୍ୟ ବର୍ଷା ବଳୟ ବା ‘ଆଉଟର ରେନ୍ ବ୍ୟାଣ୍ଡ୍’ ପ୍ରଭାବରେ ଓଡ଼ିଶାରେ ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ। ପ୍ରଥମେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୧୯ ଓ ୨୦ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଆନ୍ଧ୍ରପ୍ରଦେଶ ସଂଲଗ୍ନ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ।
ସମ୍ଭାବ୍ୟ ବର୍ଷା ଓ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୧୯ ଓ ୨୦ ତାରିଖରେ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହାସହ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ତହସିଲଦାର ଓ ବିଡିଓମାନଙ୍କ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ଲଗାଯାଇଛି।
ତେଣୁ ରାଜ୍ୟ ଉପରେ ବାତ୍ୟାର ସିଧାସଳଖ ବିପଦ ନଥିଲେ ମଧ୍ୟ ପ୍ରବଳ ବର୍ଷାକୁ ନେଇ ଦକ୍ଷିଣ ଓଡ଼ିଶାରେ ସତର୍କତା ବଢ଼ାଇଛି ପ୍ରଶାସନ।