ଭୋପାଳ: ଏକ ପରିବାରକୁ ତାଙ୍କ ଜମିର ବଜାର ମୂଲ୍ୟଠାରୁ ବହୁତ କମ୍ ଦାମରେ ଜମି ବିକ୍ରି କରିବାକୁ ଚାପ ପକାଇବା ଅଭିଯୋଗରେ ମଧ୍ୟପ୍ରଦେଶର କଟନି ଜିଲ୍ଲାର ପୋଲିସ ଅଧିକାରୀ ନେହା ପାଚିସିଆଙ୍କୁ ନିଲମ୍ବିତ କରାଯାଇଛି। ଜମି କାରବାରରେ ପୋଲିସ ପ୍ରଭାବ ଓ ସରକାରୀ କ୍ଷମତାର ଦୁରୁପଯୋଗ ହୋଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ପ୍ରାୟ ୮୩ ଲକ୍ଷ ଟଙ୍କା ମୂଲ୍ୟର ଜମିକୁ ମାତ୍ର ୧୮.୨୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଜଣେ ପରିବାର ଉପରେ ଚାପ ପକାଯାଇଥିଲା। ଏହି ଘଟଣାରେ କଟନିର କୁଥଲା ଥାନାରେ ନେହା ପାଚିସିଆଙ୍କ ସମେତ ଅନ୍ୟ ଦୁଇଜଣଙ୍କ ବିରୋଧରେ FIR ମଧ୍ୟ ରୁଜୁ ହୋଇଛି।

ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନେହା ପାଚିସିଆଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ଏବଂ ଦୋଷୀ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବନ ସମୟରେ ସେ ଭୋପାଳ ପୋଲିସ ମୁଖ୍ୟାଳୟରେ ସଂଲଗ୍ନ ରହିବେ। ନେହା ପାଚିସିଆଙ୍କ କ୍ୟାରିୟର ଯାତ୍ରା ମଧ୍ୟ ଚର୍ଚ୍ଚାରେ ରହିଛି। ଏକଦା ସେ ଏୟାର ଇଣ୍ଡିଆରେ ଏୟାର ହୋଷ୍ଟେସ ଭାବେ କାମ କରୁଥିଲେ। ପରେ ନିଜ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆଣି ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।୨୦୧୨ରେ ସେ ମଧ୍ୟପ୍ରଦେଶ ପବ୍ଲିକ୍ ସର୍ଭିସ କମିଶନ୍ (MPPSC) ପରୀକ୍ଷା ଦେଇଥିଲେ। ୨୦୧୬ରେ ପ୍ରକାଶିତ ଚୂଡ଼ାନ୍ତ ଫଳାଫଳରେ ସେ ୨୦ତମ ରାଙ୍କ ହାସଲ କରି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (DSP) ଭାବେ ପୋଲିସ ସେବାରେ ଯୋଗ ଦେଇଥିଲେ। ପରେ କଟନିରେ ସହର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପାଇଥିଲେ।

ଅଭିଯୋଗର ତଦନ୍ତ ସମୟରେ ଜମି କିଣାବିକା ଓ ଟଙ୍କା କାରବାର ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରାଯାଉଛି। ପଞ୍ଜୀକରଣ ରେକର୍ଡ ଅନୁସାରେ ୧୮.୨୦ ଲକ୍ଷ ଟଙ୍କାର କାରବାର ମଧ୍ୟରୁ ୧୫ ଲକ୍ଷ ଟଙ୍କା ଚେକ୍ ଏବଂ ୩.୨୦ ଲକ୍ଷ ଟଙ୍କା ନଗଦରେ ଦିଆଯାଇଥିବା ଦର୍ଶାଯାଇଛି। ତଦନ୍ତକାରୀମାନେ କ୍ରେତାଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ଯାଞ୍ଚ କରୁଛନ୍ତି।ଏହା ସହ ଜଣେ ଗାଡ଼ି ମାଲିକଙ୍କ ଅଭିଯୋଗ ଆଧାରରେ ପୋଲିସ କନଷ୍ଟେବଳ-ଡ୍ରାଇଭର କେଶବ ସିଂହଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ତଦନ୍ତ ଅତିରିକ୍ତ ପୋଲିସ ଅଧୀକ୍ଷକ କମଲ ମୌର୍ଯ୍ୟଙ୍କୁ ଦିଆଯାଇଛି।
