ବଙ୍ଗୋପସାଗରରେ ବାତ୍ୟା ରୂପ ନେବ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଏହା ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ।ଅବପାତଟି ଗତ ୬ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ବେଳେ ପାରାଦୀପଠୁ ୪୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗରେ ଆଜିଠୁ ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ଆଜି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏବଂ ୨୪ ଓ ୨୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଅର୍ଥାତ ଆସନ୍ତାକାଲି ଦଶହରାରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ବେଳେ ବେଳେ ୬୫ କିମି ବେଗରେ ପବନ ହୋଇପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।