ସରିଲା ନବଦିନାତ୍ମକ ଯାତ୍ରା, ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ରତ୍ନସିଂହାସନକୁ ଫେରିଲେ ଶ୍ରୀଜୀଉ। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କଲେ ମହାପ୍ରଭୁ ଜଗନ୍ନାଥ। ନୀଳାଦ୍ରି ବିଜେ ପହଣ୍ଡି ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଆଜିଠୁ ପୁରୀରେ ମିଳିବ ନୀଳାଚଳ ଅବଢ଼ା। ଆଜି ଶ୍ରୀମନ୍ଦିରରେ ପ୍ରଥମ ଅବଢ଼ା ଭୋଗ କରାଯିବ। ଏହା ନୀଳାଚଳ ଅବଢ଼ା ଭାବେ ପରିଚିତ। ଏହି ଅଭଡ଼ା ପାଇବା ପାଇଁ ଭକ୍ତ ମାନେ ଅତି ବ୍ୟାକୁଳତା ର ସହ ଅପେକ୍ଷା କରିଥାନ୍ତି। ତେବେ ଆଜି ଅପରାହ୍ନ ରେ ଏହି ଅଭଡ଼ା ବାହାରିବ।

ତେବେ ନବଦିନାତ୍ମକ ରଥଯାତ୍ରା, ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିରାଜମାନ କରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ନୀଳାଦ୍ରିବିଜେ ନୀତି ସଂପନ୍ନ ହୋଇଛି। ମହାପ୍ରଭୁ ଆଜି ଠାରୁ ରତ୍ନବେଦିରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଆନନ୍ଦ ବଜାରରେ ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ବିଶ୍ୱନିୟନ୍ତା। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି।

କାଳିଆ ସାଆନ୍ତ ରଥରୁ ଓହ୍ଲାଉଥିବା ଦେଖି ଲକ୍ଷ୍ମୀ ସାଆନ୍ତାଣୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ। ଭେଟ ମଣ୍ଡପରୁ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ସହ ଭେଟ କରାଇଥିଲେ। ଏହାପରେ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଅଭିମୁଖେ ବାହାରିଥିଲେ। କିନ୍ତୁ ବିବାହ ପରେ ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଭାଇଭଉଣୀଙ୍କୁ ସାଥୀରେ ଧରି ଘୋଷଯାତ୍ରାରେ ପଳାଇଥିବାରୁ ମନ ଊଣା କରିଥିଲେ ଲକ୍ଷ୍ମୀ ସାଆନ୍ତାଣୀ। ତେଣୁ ଅଭିମାନରେ ସିଂହଦ୍ୱାରକୁ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ସିଂହଦ୍ୱାର ଖୋଲି ଭିତରକୁ ପଳାଇଥିଲେ ମହାଲକ୍ଷ୍ମୀ। ଏହାପରେ ଶ୍ରୀମନ୍ଦିର ଭିତରକୁ ବିଜେ କରିଥିଲେ ମହାପ୍ରଭୁ। କିନ୍ତୁ ସେତେବେଳେ ଜୟବିଜୟ ଦ୍ୱାର ବନ୍ଦ ରହିଥିଲା। ସେଠାରେ ବଚନିକା ସରିବା ପରେ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ଘର ନିକଟରେ ଲକ୍ଷ୍ମୀଙ୍କ ସହିତ ଭେଟ ହାଇଥିଲା। ସେଠାରେ ବିବାହର ଗଇଁଠାଳ ଫିଟାଯାଇଥିଲା। ଏହି ନୀତିକୁ ଭିତରଚ୍ଛ ମହାପାତ୍ର ସମ୍ପାଦନ କରିଥିଲେ। ଏହାପରେ ସେଠାରେ ବନ୍ଦାପନା ଏବଂ ରସଗୋଲା ଭୋଗ ହୋଇଥିଲା। ଅର୍ଥାତ୍‌‌ କାଳିଆ ସାଆନ୍ତ ରସଗୋଲା ଖୁଆଇ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିଥିଲେ। ଘଷାବିଡ଼ିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ।