କ୍ୟାନ୍ସର ପୀଡ଼ିତକୁ ସହଯୋଗର ହାତ ବଢ଼ାଇଲେ ନାରୀନେତ୍ରୀ

(ଜଳେଶ୍ୱର/ଅଜିତ ସାହୁ): କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ବାଲେଶ୍ୱର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ଓ ସହ ଧର୍ମିଣୀ ତଥା ବିଜେଡିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସୁବାସିନୀ ଜେନା । ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ଅନ୍ତର୍ଗତ ଅସ୍ତି ଗାଁ ପଞ୍ଚାୟତର ସାନମଇଁଷାଡି ଗାଁରେ ରୁହନ୍ତି କରୁଣାକର ଜେନା । ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଦଇବର ଗତି ଏମିତି ହୋଇପାରେ ବୋଲି କିଏ ଯାଣିଥିଲା । ତିନି ବର୍ଷ ହେବ କରୁଣା କରଙ୍କ ଡାହାଣ କାନ୍ଧ ତଳେ ଏକ ଟ୍ୟୁମର ବାହାରିଥିଲା । ହେଲେ ଅର୍ଥ ଅଭାବ କାରଣରୁ ଚିକିତ୍ସା କରି ପାରିନଥିଲେ । ମାତ୍ର ଏବେ ଅତ୍ୟନ୍ତ କଷ୍ଟ ହେବାରୁ ଡାକ୍ତରଙ୍କୁ ଦେଖାଇଲେ ହେଲେ ଡାକ୍ତରଙ୍କ କହିବା ଅନୁଯାୟୀ ଟ୍ୟୁମର ଟି ବଢ଼ି କ୍ୟାନ୍ସର ହୋଇଗଲାଣି । ଅପରେସନ କରିବାକୁ ଲକ୍ଷ୍ୟାଧିକ ଟଙ୍କା ଦରକାର ଏକଥା ଶୁଣି ଯେମିତି କରୁଣାଙ୍କ ପାଦ ତଳୁ ମାଟି ଖସିଗଲା । ପ୍ରଥମେ ଚିକିତ୍ସା କରିବାକୁ ଟଙ୍କା ନଥିଲା ଆଉ ଏବେ ଅପରେସନ ପାଇଁ ଏତେ ଟଙ୍କା କୁଆଡୁ ବା ଆଣିବେ । ଏହି ସମୟରେ ଏହି ସମ୍ପର୍କର ଖବର ପାଇ ବାଲେଶ୍ୱର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ପରାମର୍ଶ କ୍ରମେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ସଭାପତି ସୁବାସିନୀ ଜେନା କରୁଣାଙ୍କ ଘରେ ପହଞ୍ଚିଥିଲେ । ଏବଂ ତାଙ୍କ ବୃଦ୍ଧା ମାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରିବା ସହ ରେଡକ୍ରସ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ମାଗଣା ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ହୋଇ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା କରୁଣା କରଙ୍କୁ ଯଦି କିଏ ସରକାରୀ ବା ବେସରକାରୀ ସଂଗଠନ କରିବାକୁ ଚାହାଁନ୍ତି ତେବେ ୭୭୩୫୫୮୮୦୧୩ ନମ୍ବରରେ ଯୋଗାଯୋଗ କରୁନ୍ତୁ ।