ଆଇଓସିଏଲ ସମ୍ମୁଖରେ କଳାପତାକା ପ୍ରଦର୍ଶନ
(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ପାରାଦ୍ଵୀପ ତୈଳ ବିଶୋଧନାଗାର (ଆଇଓସିଏଲ) ସମ୍ମୁଖରେ ୧୦ ଦଫା ଦାବିକୁ ନେଇ କଳାପତାକା ପ୍ରଦର୍ଶନ ସହିତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ରାଲିରେ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇଓସିଏଲ କତ୍ତୃପକ୍ଷ ଦିର୍ଘଦିନ ହେଲା ଶ୍ରମିକମାନଙ୍କୁ ଅଣଦେଖା କରୁଛନ୍ତି, ଯାହାକୁ ଶ୍ରମିକମାନେ ବିରୋଧ କରିଛନ୍ତି । ପୁରୁଣା ଶ୍ରମିକମାନଙ୍କୁ ପୂର୍ଣ୍ଣ ଗେଟ୍ ପାସ ପ୍ରଦାନ, ପ୍ରତି ମାସର ୭ ତାରିଖ ମଧ୍ୟରେ ଦରମା, ଆଇଓସିଏଲ ଟାଉନସିପରେ ବିଶ୍ରାମଗାର, କରୋନାରେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଆଇଓସିଏଲ ପରିସରରେ ଶ୍ରମିକ ମାନଙ୍କୁ କ୍ୟାଣ୍ଟିନର ସୁବିଧା, ମାଗଣା ଗାଡ଼ି ପାର୍କିଂର ସୁବିଧା ପ୍ରଭୁତି ୧୦ ଦଫା ଦାବି ପୂରଣ କରିବାକୁ ଦାବି କରାଯାଇଛି। ତୁରନ୍ତ ଏହି ଦାବି ପୂରଣ ନହେଲେ ସମସ୍ତ ଶ୍ରମିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି କଳାପତାକା ପ୍ରଦର୍ଶନରେ ସଂଘର ସଭାପତି ବାପି ସାର୍ଖେଲ, ସମ୍ପାଦକ ସମୀର ବିଶ୍ବାଳ ଓ ସଂଗଠନ ସମ୍ପାଦକ ସୁରେଶ କୁମାର ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ।