ପୁରୀ: ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ୟ୍ୟନ୍ତ ନବଦିନବ୍ୟାପି ଏହି ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ। ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥା ଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ। ଯୁଗେ ଯୁଗେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଜଗତ ବିଖ୍ୟାତ ହୋଇଛି। ପୌରାଣିକ ମତାନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜୀଉମାନଙ୍କ ନିମିତ୍ତ ସୁଦୃଶ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଇତ୍ୟାଦି କାର୍ୟ୍ୟ ପରାଣ ଯୁଗର ମହାରାଜା ଇନ୍ଦ୍ରଦ୍ୟୁମ୍ନ କରିଥିଲେ। ତାଙ୍କର ରାଣୀଙ୍କ ନାମ ଥିଲା ଗୁଣ୍ଡିଚା ଦେବୀ। ରାଣୀ ଗୁଣ୍ଡିଚାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରଥଯାତ୍ରାର ପ୍ରଚଳନ ବୋଲି ଗୋଟିଏ ମତ ରହିଅଛି।
ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ନିଆଯିବାର ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ବେଶ୍ ବିମୋହିତ କରେ । ଝୁଲି ଝୁଲି ଶ୍ରୀବିଗ୍ରହମାନେ ଆସି ରଥାରୁଢ ହୋଇଥାନ୍ତି । ତେବେ କେବେ ଭାବିଛନ୍ତି ଏହି ପହଣ୍ଡି ଯାତ୍ରା ବେଳେ କାହିଁକି ମହାପ୍ରଭୁ ବନ୍ଧା ହୋଇ, ଝୁଲି ଝୁଲି, ଆଗପଛ, ଉଠାପଡା ହୋଇ ରଥାରୂଢ଼ ହୁଅନ୍ତି ? ଆଜ୍ଞା ହାଁ ଆଜି ଆମେ ଆପଣଙ୍କୁ କହିବୁ ସେ ବିଷୟରେ… । ତା ପୂର୍ବରୁ ଆପଣ ଯଦି କେବେ ପହଣ୍ଡି ଦେଖିଥିବେ ତେବେ ଜାଣିଥିବେ ଯେ ବିଗ୍ରହ ମାନଙ୍କୁ ସେନାପଟାରେ ବାନ୍ଧାଯାଇ ପହଣ୍ଡି କରାଯାଏ। ଆଉ ଏହି ସେନାପଟା ତିଆରି ହୋଇଥାଏ ବଉଳ କାଠରେ। ସେନାପଟା ଶବ୍ଦଟି ‘ସେନ୍ହା’ ଶବ୍ଦରୁ ଆସିଛି। ଯାହାର ପ୍ରକୃତ ଅର୍ଥ ହେଉଛି ସାଞ୍ଜୁ ବା ଯୁଦ୍ଧ ସମୟରେ ଦେହକୁ ସୁରକ୍ଷା ଦେଉଥିବା କବଚ। ପହଣ୍ଡି ସମୟରେ ଯେପରି ବିଗ୍ରହଙ୍କୁ କୌଣସି ଆଘାତ ନ ଲାଗେ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଗବେଷଣା କୁହେ। ସେନାପଟା ଶ୍ରୀଅଙ୍ଗକୁ ସୁରକ୍ଷା ଦେଉଥିବା ବେଳେ ତମ୍ବାରେ ତିଆରି ବାହୁଟ କଣ୍ଟ ମହାପ୍ରଭୁଙ୍କୁ ସୁରକ୍ଷା ଦେଇଥାଏ।
କିନ୍ତୁ ଏହା ପଛରେ ମଧ୍ୟ ରହିଛି ଏକ ରୋଚକମୟ ତଥ୍ୟ ଯାହା ମହାପ୍ରଭୁଙ୍କ ଅଜାଘର ସହ ଜଡ଼ିତ । ପୌରାଣିକ କାହାଣୀ ଅନୁସାରେ, ଜଗନ୍ନାଥ ଓ ବଳଭଦ୍ର ପଣସ ଖାଇବାକୁ ଭାରି ଭଲ ପାଉଥିଲେ। ସାକ୍ଷୀଗୋପାଳରେ ଥିବା ବକୁଳ ବନରେ ପ୍ରଚୁର ପଣସ ହୋଇଥିବାରୁ ଦିନେ ରାତି ଅଧରେ ଦୁଇ ଭାଇ ପଣସ ଖାଇବାକୁ ସେଠାକୁ ଯାଇଥିଲେ । ମାତ୍ର ସେହି ସମୟରେ ତପସ୍ୟାରତ ସିଦ୍ଧ ବଳରାମ ଗୋସେଇଁ ଦୁଇ କଳାଗୋରା ବାଳକଙ୍କୁ ଦେଖି କାହିଁକି ପଣସ ଚୋରି କରୁଛ ବୋଲି ପଚାରିଥିଲେ ଓ ରାଗରେ ଏକ ବଉଳ ଗଛରେ ବାନ୍ଧି ଦେଇଥିଲେ। କିନ୍ତୁ ଦୁଇଭାଇ ଚତୁରତାର ସହ ବଳରାମ ଗୋସାଇଁଙ୍କୁ ଅଜା ବୋଲି ସମ୍ବୋଧନ କରି ତାଙ୍କ ମୁଣ୍ଡରେ ହାତ ରଖି ପଣସ ଚୋରି କରି ନାହାନ୍ତି ବୋଲି କହିଥିଲେ। ଏଣେ ପଣସ ଅଠା ବଳରାମ ଗୋସାଇଁଙ୍କ ମୁଣ୍ଡରେ ଲାଗିଥିବାରୁ ସେ ରାଜାଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ।
ପରବର୍ତ୍ତୀ ସମୟରେ ମହାପ୍ରଭୁ ଗଜପତିଙ୍କୁ ସ୍ୱପ୍ନାଦେଶ କରି ବଳରାମ ଗୋସାଇଁ ନିର୍ଦ୍ଦୋଷ ଓ ନିଜେ ଦୁଇ ଭାଇ ବାଳକ ବେଶରେ ପଣସ ଖାଇଥିବା ସ୍ୱୀକାର କରିଥିଲେ। ଏହି କାହାଣୀର ସ୍ମାରକୀ ସ୍ୱରୂପ ଆଜି ମଧ୍ୟ ସାକ୍ଷୀଗୋପାଳ ବକୁଳବନରେ ଥିବା ସିଦ୍ଧ ବଳଦେବଙ୍କ ପୀଠରୁ ବଉଳ କାଠ ଆସି ପହଣ୍ଡି ପୂର୍ବରୁ ସେନାପଟା ଭାବେ ପ୍ରସ୍ତୁତ ହୋଇଥାଏ। ନିଜ ତ୍ରୁଟି ପାଇଁ ମହାପ୍ରଭୁ ମଧ୍ୟ ପ୍ରତିବର୍ଷ ଏହି ବଉଳ କାଠରେ ପ୍ରସ୍ତୁତ ସେନାପଟାରେ ବନ୍ଧା ହୋଇ ଭକ୍ତଙ୍କ ଭିତରେ ଦଣ୍ଡିତ ହେଉଥିବା ଦର୍ଶାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।