ପ୍ରକାଶ ପାଇଲା ନୂଆ ଆଇସିସି ର୍ୟାଙ୍କିଂ । ଟେଷ୍ଟ କ୍ରିକେଟରେ ଚମକିଲେ ଭାରତୀୟ ଖେଳାଳି । ବ୍ୟାଟିଂ ର୍ୟାଙ୍କିଂର ଟପ୍-୧୦ରେ ସ୍ଥାନ ପାଇଲେ ୩ ଜଣ ଭାରତୀୟ ବ୍ୟାଟର । ଋଷଭ ପନ୍ତ, ଶୁଭମନ ଗିଲ୍ ଓ ଯଶସ୍ୱୀ ଜୟସ୍ୱାଲ ନିଜ ନିଜ ର୍ୟାଙ୍କିଂରେ ଉନ୍ନତି କରିଛନ୍ତି ।

ନୂଆ ର୍ୟାଙ୍କିଂ ଅନୁସାରେ, ଋଷଭ ପନ୍ତ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଅଧିନାୟକ ଶୁଭମନ ଗିଲ୍ ୩ଟି ସ୍ଥାନ ଉନ୍ନତି ସହ ସପ୍ତମ ଏବଂ ଯଶସ୍ୱୀ ଜୟସ୍ୱାଲ ୫ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନ ହାସଲ କରିଛନ୍ତି । ଅନ୍ୟପକ୍ଷରେ କେଏଲ୍ ରାହୁଲ ୨୫ତମ ଏବଂ ଦେବଦତ୍ତ ପାଡିକଲ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । କେବଳ ବ୍ୟାଟିଂ ନୁହେଁ, ବୋଲିଂ ର୍ୟାଙ୍କିଂରେ ମଧ୍ୟ ଭାରତର ଦବଦବା ଜାରି ରହିଛି । ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ୩ଟି ସ୍ଥାନ ଉପରକୁ ଉଠି ୮୫୬ ରେଟିଂ ପଏଣ୍ଟ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ଓଲି ରବିନସନଙ୍କ ସହ ସମାନ ସ୍ଥାନରେ ରହିଛନ୍ତି ବୁମରାହ । ତେବେ ୮୮୧ ପଏଣ୍ଟ ସହ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଷ୍ଟାର୍କଙ୍କଠାରୁ ମାତ୍ର ୨୫ ପଏଣ୍ଟ ପଛରେ ଅଛନ୍ତି ବୁମରାହ ।

ସେହିପରି ଟେଷ୍ଟ ଅଲରାଉଣ୍ଡର ର୍ୟାଙ୍କିଂରେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ନିଜ ସ୍ଥିତି ବଜାୟ ରଖିଛନ୍ତି । ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ ଏହି ତାଲିକାର ଶୀର୍ଷରେ ରହିଛନ୍ତି । ତେବେ ୱାଶିଂଟନ ସୁନ୍ଦର ଦୁଇଟି ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଦିନିକିଆ ଓ ଟି-୨୦ ର୍ୟାଙ୍କିଂରେ ମଧ୍ୟ ଖେଳାଳିମାନଙ୍କ ସ୍ଥିତିରେ ପରିବର୍ତ୍ତନ ହୋଇଛି । ଦିନିକିଆ ବ୍ୟାଟିଂ ର୍ୟାଙ୍କିଂରେ ଇଂଲଣ୍ଡର ବେନ୍ ଡକେଟ୍ ୩ଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି । ଟି-୨୦ ବୋଲିଂ ର୍ୟାଙ୍କିଂରେ ଆଦିଲ ରସିଦ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଫିଲ୍ ସଲ୍ଟ ବ୍ୟାଟିଂରେ ଷଷ୍ଠ ସ୍ଥାନରେ ଅଛନ୍ତି । ଟମ୍ ବ୍ୟାଣ୍ଟନ୍ ୨୬ଟି ସ୍ଥାନ ଲମ୍ଫ ଦେଇ ୩୪ତମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ମୋଟାମୋଟି ଭାବେ ନୂଆ ଆଇସିସି ର୍ୟାଙ୍କିଂରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନର ପ୍ରତିଫଳନ ଦେଖିବାକୁ ମିଳିଛି ।