କ୍ରିକେଟ୍ ରେ ନୂଆ ଅଧ୍ୟାୟ, ଗୋଟିଏ ଟିମ୍ ରେ ଖେଳିବେ ମହିଳା ଓ ପୁରୁଷ

କ୍ରିକେଟ୍ ଜଗତରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ପରୀକ୍ଷଣ। ଏଣିକି ଗୋଟିଏ ଦଳରେ ଏକାଠି ଖେଳିବେ ମହିଳା ଓ ପୁରୁଷ କ୍ରିକେଟର୍‌। ଏଥିପାଇଁ ଜର୍ମାନୀରେ ଆରମ୍ଭ ହେବାକୁ ଯାଉଛି ମିକ୍ସଡ୍ ଜେଣ୍ଡର ଟି-୨୦ ଲିଗ୍‌ ‘ଇକ୍ୱାଲ୍‌’। ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ୍‌ଙ୍କ ସହ-ମାଲିକାନାରେ ଥିବା ଆଙ୍କର ସ୍ପୋର୍ଟସ ଏବି ଏବଂ ଜର୍ମାନ କ୍ରିକେଟ୍ ଫେଡେରେସନ୍ ମିଳିତ ଭାବେ ଏହି ଲିଗ୍‌ ଆୟୋଜନ କରିବେ। ଆସନ୍ତା ବର୍ଷ ଅଗଷ୍ଟରେ ଏହା ଆରମ୍ଭ ହେବାକୁ ଯୋଜନା ରହିଛି।

ଏହି ଲିଗ୍‌ରେ ମୋଟ ୫ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦଳରେ ୧୮ ଜଣ ଖେଳାଳି ରହିବେ। ତେବେ ପ୍ରତି ମ୍ୟାଚ୍‌ର ପ୍ଲେଇଂ ଇଲେଭେନ୍‌ରେ ୬ ଜଣ ମହିଳା ଏବଂ ୫ ଜଣ ପୁରୁଷ ଖେଳାଳି ସାମିଲ ହେବେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଟି-୨୦ ମ୍ୟାଚ୍‌ ଖେଳାଯିବ।

ଏହି ନୂଆ ଲିଗ୍‌ର ଲକ୍ଷ୍ୟ ହେଉଛି ମହିଳା ଓ ପୁରୁଷ କ୍ରିକେଟର୍‌ଙ୍କୁ ଗୋଟିଏ ମଞ୍ଚରେ ଖେଳିବାର ସୁଯୋଗ ଦେବା ସହ ୟୁରୋପରେ କ୍ରିକେଟ୍‌ର ଲୋକପ୍ରିୟତା ବୃଦ୍ଧି କରିବା। ଏହି ପଦକ୍ଷେପକୁ ସ୍ୱାଗତ କରି ଜାହିର ଖାନ୍ କହିଛନ୍ତି, କ୍ରିକେଟ୍ ଲୋକଙ୍କୁ ଏକାଠି କରିବାର ଶକ୍ତି ରଖେ। ‘ଇକ୍ୱାଲ୍‌’ ଭଳି ଲିଗ୍‌ ମାଧ୍ୟମରେ ଅଧିକ ଖେଳାଳିଙ୍କୁ ସୁଯୋଗ ମିଳିବା ସହ ଏହି ଖେଳର ବିକାଶ ହୋଇପାରିବ। ତେବେ ଏହି ଅଭିନବ ପ୍ରୟାସ କ୍ରିକେଟ୍‌ର ପାରମ୍ପରିକ ଧାରାରେ କେତେ ପରିବର୍ତ୍ତନ ଆଣୁଛି ଏବଂ ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ମଞ୍ଚରେ କେତେ ସଫଳତା ଦେଉଛି, ତାହା ଉପରେ ଏବେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି।