ଭୁବନେଶ୍ୱର: ଶୀତର ପ୍ରଭାବ ପୁଣି ଧୀରେ ଧୀରେ ବଢ଼ୁଥିବାରୁ ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ବୁଧବାର ଦିନ ସୂଚନା ଦେଇଛି।
ଏହାସହ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ନଭେମ୍ବର ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଆଠଟି ଜିଲ୍ଲାରେ ଘନ କୁହୁଡ଼ି ନେଇ ‘ୟେଲୋ ୱାର୍ଣ୍ଣିଂ’ (ହଳଦିଆ ଚେତାବନୀ) ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇପାରେ। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ବହୁତ କମିଯାଇପାରେ, ତେଣୁ ସାଧାରଣ ଜନତା ଏବଂ ବିଶେଷକରି ଗାଡ଼ି ଚାଳକମାନଙ୍କୁ ଭୋର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଆଗାମୀ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତ୍ରିକାଳୀନ ତାପମାତ୍ରା) ୨ ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏହା ପରେ ରାଜ୍ୟରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।